Categories: ଜାତୀୟ

ଆଇଏମ୍‌ଏସ୍‌ ଇଞ୍ଜିନିୟରିଂ କଲେଜରେ ବଡ଼ ଦୁର୍ଘଟଣା: ଲିଫ୍ଟ ଭାଙ୍ଗି ୮ଆହତ

ଗାଜିଆବାଦ,୨୭।୪: ଦିଲ୍ଲୀ ନିକଟସ୍ଥ ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ଆଇଏମ୍‌ଏସ୍‌ ଇଞ୍ଜିନିୟରିଂ କଲେଜରେ ଏକ ବଡ଼ ଅଘଟଣ ଘଟିଛି। ଜାତୀୟ ରାଜପଥ-୨୪ରେ ଡାସନା ନିକଟରେ ଥିବା ଆଧ୍ୟାତ୍ମିକ ନଗର ସ୍ଥିତ ଆଇଏମ୍‌ଏସ୍‌ ଇଞ୍ଜିନିୟରିଂ କଲେଜରେ ଲିଫ୍ଟ ଭାଙ୍ଗିବାରୁ ୮ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କଲେଜର ଏକ ବିଲ୍ଡିଂରେ ୮ଜଣ ଛାତ୍ର ଲିଫ୍ଟରେ ଉପର ମହଲାକୁ ଯାଉଥିଲେ। ସେହି ସମୟରେ ହଠାତ୍‌ ଲିଫ୍ଟଟି ଭାଙ୍ଗି ତଳେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୮ଜଣ ଛାତ୍ର ଆହତ ହୋଇଛନ୍ତି। ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କର ମଣିପାଲ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏଥିସହ ଛାତ୍ରଙ୍କ ପରିବାର ଲୋକଙ୍କୁ ଏହି ଦୁର୍ଘଟଣା ବାବଦରେ ସୂଚନା ଦିଆଯାଇଛି ବୋଲି କଲେଜ ପ୍ରଶାସନ କହିଛନ୍ତି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share