ଜାଗା ମିଶନ ତାଲିକାରେ ଭୂତ ହିତାଧିକାରୀ

ଭୁବନେଶ୍ୱର, ୨୬।୮ (ବନ୍ଦନା ସେଠୀ): ଜାଗା ମିଶନ୍‌ ସର୍ଭେରେ ହୋଇଥିବା ବଡ଼ କେଳେଙ୍କାରି ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ଦେଇ ବସ୍ତି ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ) ତାଲିକାରେ ବହୁ ଅଯୋଗ୍ୟ ତଥା ନିଜ ସମ୍ପର୍କୀୟଙ୍କୁ ସ୍ଥାନ ଦେଇ ପ୍ରିୟାପ୍ରୀତି ତୋଷଣ କରିଥିବା ଅଭିଯୋଗ ହୋଇଆସୁଥିଲା। ତେବେ ତାଲିକା ପ୍ରକାଶ ପାଇବା ପରେ ଏଥିରେ ବହୁ ଭୂତ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି, ଯେଉଁମାନେ ବସ୍ତିରେ କେବେ ରହି ନାହାନ୍ତି କି ଦିଆଯାଇଥିବା ଠିକଣାରେ ସେପରି କୌଣସି ପରିବାର ବା ବ୍ୟକ୍ତି ନାହାନ୍ତି। ଫଳରେ ଆସନ୍ତା ୨୮ ତାରିଖରେ ଏସବୁ ଭୂତ ହିତାଧିକାରୀଙ୍କୁ ବିଏମ୍‌ସି କିପରି ଜମି ପଟ୍ଟା ବାଣ୍ଟିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ବସ୍ତିରେ ବିରୋଧର ସ୍ବର ଉଠିଲାଣି।
ଓ୍ବାର୍ଡ ନଂ. ୩୮ ଅନ୍ତର୍ଗତ ବାଲିତୋଟା ସାହିରେ ମୋଟ୍‌ ୧୧୦ଟି ପରିବାର ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି। ମାତ୍ର ଜାଗାମିଶନ୍‌ ସର୍ଭେ ତାଲିକାରେ ସମ୍ପୃକ୍ତ ସାହି ବା ବସ୍ତିର ମୋଟ୍‌ ୧୭୩ଜଣଙ୍କୁ ଚୟନ କରାଯାଇଛି। ତାଲିକାରେ ସ୍ଥାନ ପାଇଥିବା ଅତିରିକ୍ତ ୬୩ଜଣ କିଏ? ସେମାନଙ୍କୁ କିପରି ଓ କାହିଁକି ବସ୍ତି ବାସିନ୍ଦା ବୋଲି ତାଲିକାରେ ଦର୍ଶାଯାଇଛି ସେ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭୩ଜଣଙ୍କୁ ଜମିପଟ୍ଟା ଦିଆଯିବାକୁ ତାଲିକା ପ୍ରକାଶ ପାଇଥିବାବେଳେ ଏଥିରେ ଥିବା ୨୩ଜଣ ସମ୍ପୃକ୍ତ ବସ୍ତିର ନୁହନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଭଳି କୌଣସି ବ୍ୟକ୍ତି ସେଠାରେ ରହୁ ନ ଥିବାରୁ ହିତାଧିକାରୀ ଚୟନ କରୁଥିବା ଏସ୍‌ଡିଏ ତାଲିକାରେ ଚଞ୍ଚକତା କରିଥିବା ସ୍ପଷ୍ଟ ହୋଇଛି। ସେହିପରି ବର୍ଷବର୍ଷ ଧରି ବସ୍ତିରେ ରହି ଆସୁଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ, ବ୍ୟବସାୟୀ ଓ ଦୋକାନ କର୍ମଚାରୀ। ମାତ୍ର ସେମାନଙ୍କୁ ଅଗ୍ରାଧିକାର ଦିଆ ନ ଯାଇ ବିଏମ୍‌ସି ଏବେ ଭୂତଙ୍କୁ ଜମି ପଟ୍ଟା ବାଣ୍ଟିବାକୁ ବସିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମେୟରଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି।

Share