Categories: ଜାତୀୟ

ପୁସ୍ତକ ଲେଖିବେ ଗୁଲାମ ନବୀ!

ନୂଆଦିଲ୍ଲୀ,୧୬ ।୨: କିଛିଦିନ ହେବ ଦେଶର ରାଜନୈତିକ ବାତାବରଣରେ ସାମାନ୍ୟ ହଲଚଲ ଦେଖାଦେଇଛି । ଗୋଟିଏ ପଟେ ରାଜ୍ୟ ସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟୀ ତ ଅନ୍ୟପଟେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦୁଇଟିଯାକ ଘଟଣାରେ ନାଟକୀୟତା ଦେଖାଯାଇଛି । ରାଜ୍ୟ ସଭାରୁ ଆଜାଦଙ୍କୁ ବିଦାୟ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଖିରେ ଲୁହ ଆସିଯିବା ଦେଖାଯାଇଥିଲା । ପୂର୍ବରୁ କେବେ ଏମିତି ଦେଖାଯାଇ ନ ଥିଲା । ପ୍ରଧାନମନ୍ତ୍ରୀ କୌଣସି ଅନ୍ୟ ଦଳର ନେତାଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ଏତେ ଭାବୁକ ହୋଇ ପଡିବେ । ଏହାକୁ ନେଇ ନାନା ଅନୁମାନ ବି ଲଗାଗଲା । ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ଆଜାଦଙ୍କ ନିକଟତର ହେଲେ ବୋଲି କୁହାଗଲା । ଆହୁରି ମଧ୍ୟ କୁହାଗଲା କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ଭାଜପା ଜଣେ ନୂଆ ଚେହେରା ଖୋଜୁଛି । ଭାଜପା ହୁଏତ ଏଥିପାଇଁ ସିଧାସଳଖ ଭାବେ ନଚେତ ବ୍ୟାକଫୁଟରେ ଗୁଲାମ ନବୀ ଆଜାଦଙ୍କୁ ନେବାକୁ ମନ ବଳାଇଛି । ଏହାସହ ଉପରାଷ୍ଟ୍ରପତି ପଦ ପାଇଁ ମଧ୍ୟ ଗୁଲାମ ନବୀଙ୍କ ନାଁ ଆଲୋଚନା ପରିସରକୁ ଆସିଲା । ଯଦିଓ ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି ତେବେବି ଆଲୋଚନା ହେବାରେ କେହି ବାଧା ଦେଇ ପାରିଲେନି । ରାଜନୀତିରେ ଗୁଲାମ ନବୀଙ୍କ ଯାତ୍ରା କେତେଦୂର ଯିବ ତାହା ଅନୁମାନ ଲଗାଇବା ମୁସ୍କିଲ ହୋଇପଡିଛି ସତ କିନ୍ତୁ ଆଉ ଏକ ଆଲୋଚନା ଏବେ ସାମ୍ନାକୁ ଆସିଛି କି ଗୁଲାମ ନବୀ ତାଙ୍କ ରାଜୈତିକ ଅନୁଭବକୁ ନେଇ ଏକ ପୁସ୍ତକ ରଚନା କରିପାରନ୍ତି । ସେ ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ କିଚେନ କ୍ୟାବିନେଟର ମେମ୍ବର ରହିସାରିଛନ୍ତି । ତେଣୁ ଦଳର ବହୁତ କିଛି ଗୁପ୍ତ ତଥ୍ୟ ମଧ୍ୟ ସେ ଜାଣିଥାଇ ପାରନ୍ତି । ଯଦି ଏହାକୁ ନେଇ ଆଜାଦ ସଚ୍ଚୋଟତାର ସହ ପୁସ୍ତକ ଲେଖିବେ ତେବେ ଏହା ଧମାକା ହେବ ବୋଲି କୁହାଯାଉଛି ।

Share