Categories: ଜାତୀୟ

ଗୁଲାମ ନବୀ ଖୋଲିଲେ ଗୁମର: ଅଧ୍ୟକ୍ଷାଙ୍କ ପ୍ରତି ନାହିଁ ସମର୍ଥନ, ୫୦ ବର୍ଷ କ୍ଷମତାକୁ ଆଉ ଆସିବନି କଂଗ୍ରେସ !

ନୂଆଦିଲ୍ଲୀ, ୨୯।୮: କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ଏବେ ଦଳୀୟ କନ୍ଦଳ ବାହାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ କହିଛନ୍ତି ଯେ, ଦଳରେ ବର୍ତ୍ତମାନ ଥିବା ଅଧ୍ୟକ୍ଷାଙ୍କ ପ୍ରତି ୧ ପ୍ରତିଶତ ସଦସ୍ୟଙ୍କର ମଧ୍ୟ ସମର୍ଥନ ନାହିଁ। ସେ କାହାର ନାମ ନ ନେଇ ଏଭଳି କହିଛନ୍ତି। ଏଭଳି ଧାରା ଜାରି ରହିଲେ ଏବଂ ଅଧ୍ୟକ୍ଷ ନିର୍ବାଚନ କରା ନ ଗଲେ ଦଳ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବି କ୍ଷମତାକୁ ଆସି ପାରିବ ନାହିଁ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରତି ଅଧାରୁ ଅଧିକ ସଦସ୍ୟଙ୍କ ନିଶ୍ଚିତ ସମର୍ଥନ ରହିବା କଥା। ଏହା ଦ୍ୱାରା ସାଂଗଠନିକ କ୍ଷେତ୍ରକୁ ସୁଦୃଢ଼ କରାଯାଇ ପାରନ୍ତା। ମାତ୍ର ଏହା ସମ୍ଭବ ହୋଇ ପାରୁ ନାହିଁ ବୋଲି ସେ କହିଛନ୍ତି। ଗୁଲାମ ନବୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୈତିକସ୍ତରରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା କଂଗ୍ରେସରେ ବାତ୍ୟା ପୂର୍ବର ସୂଚନା ବୋଲି ମନେ ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ହୁଏତ ଏହାପରେ କଂଗ୍ରେସ ପକ୍ଷରୁ ଦଳରୁ ଗୁଲାମ ନବୀଙ୍କୁ ଆଜାଦ୍‌ କରାଯାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।

Share