ପୌରାଣିକ କିମ୍ବଦନ୍ତୀ କୁହେ ଦେବ-ଦାନବ ଯୁଦ୍ଧରେ ବ୍ୟବହାର ହୋଇଥିଲା ରଣବାଦ୍ୟ ‘ଘୁମୁରା’। ଏକଦା ଶକ୍ତି ଉପାସନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ପାରମ୍ପରିକ ଲୋକବାଦ୍ୟ ଓ ଏହାକୁ ନେଇ ସୃଷ୍ଟି ହୋଇଥିବା ଲୋକନୃତ୍ୟ ଶବର ସମ୍ପ୍ରଦାୟର ଭାବାବେଗ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ରହିଆସିଛି। ଏବେ ଆଧୁନିକ ମନୋରଞ୍ଜନର ମାଧ୍ୟମ ସହ ତାଳ ଦେଇପାରୁ ନ ଥିବାରୁ ଏହାର ଝଙ୍କାର କ୍ରମଶଃ ନିଷ୍ପ୍ରଭ ହେବାରେ ଲାଗିଛି। ଫଳରେ ସ୍ବତନ୍ତ୍ର ପର୍ବପର୍ବାଣି ଓ ଲୋକ ମହୋତ୍ସବ ମଧ୍ୟରେ ସୀମିତ ହୋଇ ରହିଯାଇଛି ଏଭଳି ଏକ ପ୍ରାଚୀନ ଲୋକକଳା।
କାମାକ୍ଷାନଗର, ୨୭।୮(ସୁଧୀର ପରିଡ଼ା)ଭାଦ୍ରବ ପାଦ ଥାପିଲେ ଚଳଚଞ୍ଚଳ ହୋଇଉଠେ ଆଦିବାସୀ ପଡ଼ା। ରଙ୍ଗବେରଙ୍ଗର ପାରମ୍ପରିକ ବେଶ ପରିପାଟୀରେ ସଜେଇ ହୋଇ ରାସ୍ତାକୁ ଓହ୍ଲାଇ ଆସନ୍ତି ଶବର ସମ୍ପ୍ରଦାୟର କଳାକାର। ‘ଘୁମୁରା’ ଲୋକନୃତ୍ୟ, ଲୋକବାଦ୍ୟ, ଲୋକସଙ୍ଗୀତରେ କମ୍ପି ଉଠେ ଗ୍ରାମ୍ୟ ପରିବେଶ। ହେଲେ ଆଶ୍ୱିନ ଆସୁ ଆସୁ ମଳିନ ପଡ଼ିଯାଏ ଏହାର ସ୍ବର। ସାମାଜିକ ଗଣମାଧ୍ୟମ ଯୁଗରେ ମନୋରଞ୍ଜନର ପରିଭାଷା ବଦଳୁଥିବାବେଳେ ଲୁପ୍ତ ହେବାକୁ ବସିଛି ଆଦିବାସୀ ଜନଜୀବନର ଗାଥା ବଖାଣୁଥିବା ଏହି ପାରମ୍ପରିକ ଲୋକନୃତ୍ୟ।
ଘୁମୁରା କଥା ଉଠିଲେ ଆଖି ଫେରିଯାଏ କଳାହାଣ୍ଡି ଜିଲାକୁ। ଯଦିଓ କଳାହାଣ୍ଡିରେ ଏହି ଲୋକନୃତ୍ୟର ଆଦୃତି ବେଶି, ତଥାପି ଏହାର ଛାପ ଦେଖିବାକୁ ମିଳେ ଢେଙ୍କାନାଳ ଜିଲାରେ। କାମାକ୍ଷାନଗର ଉପଖଣ୍ଡର ନୂଆଆଳତୁମା ବଡ଼ବନ୍ଧ ସାହି, କାଦୁଆ, ବାଙ୍ଗୁରା, ବାଇସିଙ୍ଗା, ମାଳପୁରା, ମହୁଲପାଳ, ଇନ୍ଦିପୁର, ବଡସୁଅଁାଳ, ଓଡ଼ିଶ, ଆମ୍ବଖୋଲ, ଅନଳ, ଗାଙ୍ଗୀଯୋଡ଼ ସମେତ ଜିଲାର ଆଭ୍ୟନ୍ତରୀଣ ଗ୍ରାମରେ ବସବାସ କରୁଥିବା ଶବର ସମ୍ପ୍ରଦାୟ ବଞ୍ଚାଇ ରଖିଛନ୍ତି ଘୁମୁରାକୁ। ବର୍ଷସାରା ବଣମୂଲକରେ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ବନବାସୀମାନେ ଧାନ ରୁଆ ବେଉଷଣ ସରିବା ପରେ ବେଶ ଉତ୍ସାହୀ ହୋଇଉଠନ୍ତି। ଗହ୍ମା ପୂର୍ଣ୍ଣମୀ ସେମାନଙ୍କ ବଡ଼ ପର୍ବ। ଏହି ଅବସରରେ ସପ୍ତାହବ୍ୟାପୀ ଆରମ୍ଭ ହୋଇଯାଏ ନୃତ୍ୟଗୀତର ଆସର। କଳାକାର ଦଳ ନିଆରା ବେଶରେ ଗଁା ଗଁା ବୁଲି ଘୁମୁରା ବାଦ୍ୟର ତାଳେ ତାଳେ ପରିବେଷଣ କରିଥାଆନ୍ତି ନୃତ୍ୟ। ଆଦିବାସୀ ଜନଜୀବନର ଗହନକଥାକୁ ନିଆରା ଢଙ୍ଗରେ ବଖାଣିଥାଆନ୍ତି। ଖୁସିରେ ଲୋକେ ଯାହା ଦିଅନ୍ତି, ତାହାକୁ ଗ୍ରହଣ କରନ୍ତି। ତେବେ ଆଧୁନିକ ସମୟରେ ଏଭଳି ପୁରୁଣାକାଳିଆ ପରମ୍ପରାକୁ ଯୁବବର୍ଗ ଗ୍ରହଣ କରୁ ନ ଥିବାରୁ କେବେଳ ହାତଗଣତି କଳାକାର ମଧ୍ୟରେ ସୀମିତ ହୋଇ ରହିଯାଇଛି ଘୁମୁରା ଲୋକନୃତ୍ୟ। ଜିଲା କିମ୍ବା ରାଜ୍ୟସ୍ତରୀୟ ଲୋକ ମହୋତ୍ସବରେ ଆମନ୍ତ୍ରିତ କଳାକାରଙ୍କୁ ସେମାନଙ୍କ କଳା ପରିବେଷଣର ସୁଯୋଗ ମିଳୁଛି। ଅନ୍ୟମାନେ ନିରାଶ ହେଉଛନ୍ତି। ପାଲା, ସଂକୀର୍ତ୍ତନ ଭଳି ଏହାର ପ୍ରଚାର ପ୍ରଚାର ହୋଇପାରୁ ନ ଥିବାରୁ ଏହା ଏବେ ବିଲୁପ୍ତ ଅବସ୍ଥାକୁ ଚାଲିଆସିଲାଣି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ