କାଇଁଚ ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ଦାବି

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳୀ ସମେତ ଓଡ଼ିଶାର ୭ଟି ସାମଗ୍ରୀର ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ପାଇଁ ତାଲିକାଭୁକ୍ତ ହୋଇଛି। ଏବେ ଜିଲାର କାଇଁଚ ହସ୍ତଶିଳ୍ପ ଜିଆଇ ଟ୍ୟାଗ୍‌ ଦାବି ଜୋର ଧରିଛି। ଏ ନେଇ ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ ହେଉଛି। କାଇଁଚ ଶିଳ୍ପର ସମସ୍ତ ତଥ୍ୟ ସଂଗ୍ରହ ହେଉଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଜାତୀୟ ହସ୍ତଶିଳ୍ପ ମେଳାରେ ପ୍ରକାଶ କରିଥିଲେ। ଏଥିସହ ହସ୍ତଶିଳ୍ପ ବିଭାଗ ସଚିବ ଶୋଭା ଶର୍ମା ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି କଳାକୃତିରେ ୩,୧୨୮ ଜଣ ମହିଳା ସାମିଲ ହୋଇଥିବା ବେଳେ ୧,୪୭୯ ଜଣଙ୍କୁ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଅପରପକ୍ଷରେ ୨୦୨୨ ଅକ୍ଟୋବର ସୁଦ୍ଧା ସ୍କିଲ ଆକ୍ୟୁଜିଶନ ଆଣ୍ଡ ନଲେଜ ଆୱାରନେସ୍‌ ଫର୍‌ ଲାଇଭଲିହୁଡ୍‌ ପ୍ରପୋଶନ (ସଂକଳ୍ପ) ମାଧ୍ୟମରେ ଅନ୍ୟ ୫୧୪ ମହିଳା ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହିଳାଙ୍କ ହସ୍ତଶିଳ୍ପ ଏବେ ଅନ୍‌ଲାଇନ ମାଧ୍ୟମରେ ଦେଶବିଦେଶର ବହୁ ଗ୍ରାହକଙ୍କ ଆକର୍ଷଣ ସାଜିଥିବାରୁ ଏହାକୁ ରାଜ୍ୟ ସରକାର ଜିଆଇ ଟ୍ୟାଗ୍‌ ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ ତରାଣ୍ଡୋ ଗ୍ରାମର ପ୍ରଭାତୀ ତ୍ରିପାଠୀ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି ଅନନ୍ୟ କୃତିକୁ ସ୍ବୀକୃତି ମିଳିବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଛି। ବିଲବାଡ଼ିରେ ନଷ୍ଟ ହେଉଥିବା ସୁନେଲି କାଇଁଚ ଏବେ ପ୍ରକୃତ ସୁନା ଭାବେ ଗଣନା ହେଉଛି। କାଇଁଚ ଦ୍ୱାରା ପ୍ରସ୍ତୁତ ପାଛିଆ, ଟୋପି, ହ୍ୟାଣ୍ଡ ବ୍ୟାଗ୍‌ଠାରୁ ଆରମ୍ଭକରି କାନର ଝୁମୁକା, ରାଖୀ ଆଦି ଦେଶ ବିଦେଶରେ ଆକର୍ଷଣ ସାଜିଛି। ଗତ କରୋନା ସମୟରେ ମହିଳା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ପ୍ରାୟ ୧୫ ହଜାର ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା ଓ କୁଏଟ ପରି ଦେଶକୁ ଅନ୍‌ଲାଇନ ବିକ୍ରି ମାଧ୍ୟମରେ ଯାଇଛି। ଜଜାଙ୍ଗର ବିଜୟଲକ୍ଷ୍ମୀ ସ୍ବାଇଁ କହିଛନ୍ତି, କାଇଁଚ ସାମଗ୍ରୀ ଖୁବ୍‌ ଆକର୍ଷଣୀୟ। ଘରକରଣାଠାରୁ ସୌଖୀନ ସାମଗ୍ରୀ ଏଠାରେ ପ୍ରସ୍ତୁତ ହେଉଛି। ତେବେ କାଇଁଚ ସଂଗ୍ରହଠାରୁ ସାମଗ୍ରୀ ପ୍ରସ୍ତୁତି ମଧ୍ୟରେ ହସ୍ତଶିଳ୍ପୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼େ। ବର୍ଷାଦିନେ ବିଲ, ଗଡ଼ିଆ, ପଡ଼ିଆ ଆଦି ସ୍ଥାନରେ ୫ରୁ ୬ ଫୁଟ ଲମ୍ବର ଏହି କାଇଁଚକୁ ସଂଗ୍ରହ କରିବାକୁ ହୁଏ। ଏହି ସମୟରେ ଗଛର ରଙ୍ଗ ସବୁଜ ଥିବା ବେଳେ ଶୁଖିଗଲେ ସୁନେଲି ରଙ୍ଗ ଆସେ। ସଂଗୃହୀତ କାଇଁଚ ମଧ୍ୟରୁ ସାମଗ୍ରୀ ପାଇଁ ଉପଯୁକ୍ତ କାଇଁଚକୁ ବଛାଯାଏ। ସାମଗ୍ରୀର ଆବଶ୍ୟକତା ଅନୁଯାୟୀ ରଙ୍ଗ ହୁଏ। ପରେ ଏହା ସମାଗ୍ରୀର ରୂପ ନିଏ। ସମୟ ସାପେକ୍ଷ ହେଲେ ମଧ୍ୟ କାଇଁଚ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବତନ୍ତ୍ର ପରିଚୟ ଦେଇଛି। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, କାଇଁଚ ଶିଳ୍ପରେ ସିଦ୍ଧହସ୍ତ ମହିଳାଙ୍କ ପାଇଁ ଏହି ଜିଲାକୁ ସ୍ବତନ୍ତ୍ର ମାନ୍ୟତା ମିଳିବାକୁ ଯାଉଛି। ଯାହା ଜିଲାବାସୀ ଭାବେ ଖୁସିର ଖବର। ଜିଲାରେ କାଇଁଚ ପରି ରସାବଳୀ ସମେତ ପୋଟଳି ପିଠାର ଜିଆଇ ଟ୍ୟାଗ୍‌ ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସ୍ବାଗତ କରୁଥିବା ସେ ମତ ଦେଇଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ରାଜ୍ୟରେ ସଂକଳ୍ପ ଯୋଜନା ୨୦୨୦ ନଭେମ୍ବରରୁ ଆରମ୍ଭ ହୋଇଛି। ଏହି ଯୋଜନାରେ କେନ୍ଦ୍ରାପଡ଼ା ଜିଲାର ୩୫ଟି ଗ୍ରାମର ମହିଳାଙ୍କୁ କାଇଁଚ ଶିଳ୍ପ ତାଲିମ ପାଇଁ ପ୍ରୋତ୍ସାହିତ କରିଛୁ। ପ୍ରାୟ ସାଢ଼େ ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସଂକଳ୍ପ ଯୋଜନା ଏବେ ପ୍ରତି ମହିଳାଙ୍କୁ ମାସିକ ଅନୂ୍ୟନ ୫ ହଜାର ଟଙ୍କାର ରୋଜଗାର ମିଳୁଛି। କାଇଁଚ ହସ୍ତଶିଳ୍ପର ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।