ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁ ବରବାଦ ହୋଇଥିଲା କ୍ୟାରିୟର, ଏବେ ବିଗ୍‌ବସ୍‌ରେ ନଜର ଆସିବେ ‘ଗୋପି ବହୁ’

ବମ୍ବେ: ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜିୟା ମାନେକ। ଷ୍ଟାରପ୍ଲସରେ ପ୍ରସାରିତ ‘ସାଥ ନିଭାନା ସାଥିୟା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ନଜର ଆସୁଥିଲେ। ହେଲେ ହଠାତ୍‌ ତାଙ୍କର ନିଷ୍ପତ୍ତି ସବୁକିଛି ବରବାଦ କରିଦେଇଥିଲା। ଦର୍ଶକଙ୍କ ମଧ୍ୟରେ ‘ଗୋପି ବହୁ’ ନାମରେ ପରିଚିତ ଜିୟା କିଛି ଦିନ ତଳେ ଏକ ଭାଇରାଲ ଭିଡିଓକୁ ନେଇ ଆଉ ଥରେ ଚର୍ଚ୍ଚାର ପରିସରକୁ ଆସଛନ୍ତି। ଉକ୍ତ ଧାରାବାହିକର ଏକ ଦୃଶ୍ୟ ‘ରସୋଡେ ମେ କୌନ ଥା’ର ମେମେ ଭାଇରାଲ ହେଉଛି।

ଜିୟାଙ୍କ ଅଭିନୟ ଯାତ୍ରାକୁ ଦେଖିଲେ ସେ ‘ସାଥ ନିଭାନା ସାଥିୟା’ରୁ ଟେଲିଭିଜନ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ରେ ସେ ଧାରାବାହିକ ପାଇଁ କାମ କରିବା ଆରମ୍ଭ କରିଥିଲେ। ଏହାର କିଛି ଦିନ ମଧ୍ୟରେ ନିଜର ଅଭିନୟରେ ସେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ମାତ୍ର ୨୦୧୨ରେ କଲର୍ସରେ ପ୍ରସାରିତ ‘ଝଲକ ଦିଖଲାଜା’ରେ ପ୍ରତିଯୋଗୀ ଭାବେ ଯୋଗ ଦେବାକୁ ସେ ମନ ବଳାଇଥିଲେ। ଏହାଜାଣିବା ପରେ ତାଙ୍କୁ ଧାରାବାହିକରୁ ବାହାର କରାଯାଇଥିଲା। ତାଙ୍କ ସ୍ଥାନ ନେଇଥିଲେ ଦେବୋଲିନା ଭଟ୍ଟାଚାର୍ଯ୍ୟ।

ଜିୟାଙ୍କ ପାଇଁ ସବୁକିଛି ଶେଷ ହୋଇଯିବା ଭଳି ହୋଇଥିଲା। ସେ ଝଲକ ଦିଖଲାଜାର ବିଜେତା ହୋଇପାରି ନ ଥିଲେ। ଏପରିକି ତାଙ୍କୁ ଅନ୍ୟ ଶୋ’ର ଅଫର ମିଳି ନ ଥିଲା। ଇତି ମଧ୍ୟରେ ୮ ବର୍ଷ ବିତିସାରିଛି। ଏବେ ଜିୟା ପୁଣି ଫେରୁଛନ୍ତି। ଚଳିତ ଥର ବିଗ୍‌ବସ୍‌-୧୪ରେ ସେ ପ୍ରତିଯୋଗୀ ଭାବେ ଭାଗ ନେବେ ବୋଲି ଜଣାପଡ଼ିଛି। ଏହାକୁ ନେଇ ସେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।

Share