୩୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ସ୍କ୍ରାପ୍‌ ହାତୀ

ବ୍ରହ୍ମପୁର,୧।୧୦(ସ୍ମୃତି ରଞ୍ଜନ ମହାଲିକ)ଦକ୍ଷତା ବିକାଶ କ୍ଷେତ୍ରରେ ବ୍ରହ୍ମପୁର ଶିଳ୍ପ ତାଲିମ ବୈଷୟିକ ଅନୁ୍‌ଷ୍ଠାନ (ଆଇଟିଆଇ) ସର୍ବଦା ଆଗରେ ରହିଆସିଛି। ବର୍ଜ୍ୟବସ୍ତୁ ଓ ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଆଇଟିଆଇ ସବୁବେଳେ ସମାଜକୁ ସଚେତନତାର ବାର୍ତ୍ତା ପହଞ୍ଚାଇଛି। ବର୍ତ୍ତମାନ ଆଇଟିଆଇ ପୁଣି ଥରେ ନିଆରା ପ୍ରତିକୃତି ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର ଉପରେ ସଚେତନତା ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଆଇଟିଆଇ ପକ୍ଷରୁ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାର ପ୍ଲାଷ୍ଟିକ ବୋତଲ ସଂଗ୍ରହ କରାଯାଇଛି। ସୂଚନା ମୁତାବକ, ଆଇଟିଆଇର ଫିଟର, ଏଗ୍ରିକଲଚର ମେସିନାରୀ ଛାତ୍ରୀଛାତ୍ରଙ୍କ ପକ୍ଷରୁ ପ୍ରଥମେ ସ୍କ୍ରାପ, ଲୁହା ରଡରେ ଏକ ବିଶାଳକାୟ ହାତୀର ପ୍ରତିକୃତି ନିର୍ମାଣ କରାଯାଇଥିଲା। ସ୍କ୍ରାପରେ ନିର୍ମିତ ହୋଇଥିବା ହାତୀ ପ୍ରତିକୃତିରେ ପ୍ଲାଷ୍ଟିକ ବୋତଲ ଭରି କରାଯାଇଛି।

ଏହା ଉପରେ ପ୍ଲାଷ୍ଟିକ ଜାଲି ଆଚ୍ଛାଦିତ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ୧୦ରୁ ୧୫ ଦିନ ସମୟ ଲାଗିଛି। ଏହି ହାତୀର ଉଚ୍ଚତା ୨୨ ଫୁଟ, ଲମ୍ବ ୨୪ ଫୁଟ ଓ ଓସାର ୬.୬ ଫୁଟ ରହିଛି। ଏହି ହାତୀ ପ୍ରତିକୃତିକୁ ଆଇଟିଆଇର ମୁକ୍ତାକାଶ ସ୍କ୍ରାପ ପାର୍କରେ ରଖାଯିବ। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ବଚ୍ଛତା ହିଁ ସେବା ମିଶନ ଅବସରରେ ଏହି ସ୍କ୍ରାପ ହାତୀକୁ ଉଦଘାଟନ କରାଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ଲାଷ୍ଟିକର ବହୁଳ ବ୍ୟବହାର କାରଣରୁ ପରିବେଶ ପ୍ରଦୂଷିତ ହେଉଛି। ବିଶେଷଜ୍ଞମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରରୁ ଦୂରେଇ ରହିବା ପାଇଁ ମତ ଦେଇଛନ୍ତି। ଆଇଟିଆଇ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ସର୍ବସାଧାରଣଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।