ଭୁବନେଶ୍ୱର, ୧୮।୯(ବ୍ୟୁରୋ): ରାଜ୍ୟରେ ହାତୀ ତଥା ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାର ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍) ଗଠନ କରିଛନ୍ତି। ଏଥିପାଇଁ ଶନିବାର ୫ଜଣ ବନ ଅଧିକାରୀଙ୍କୁ ବଦଳି କରାଯାଇ ଜେଟିଏଫ୍ରେ ନିଯୁକ୍ତ କରାଯାଇଛି। ସେମାନେ ହେଲେ ପିସିସିଏଫ୍ କାର୍ଯ୍ୟାଳୟର ଏସିଏଫ୍ ରାମପଦ ଅରବିନ୍ଦ ମିଶ୍ର ଓ ନଗର ବନଖଣ୍ଡର ଏସିଏଫ୍ ସାଧନା ବେହେରା ଏବଂ ଭୁବନେଶ୍ୱର ସର୍କଲ ଆର୍ସିସିଏଫ୍ କାର୍ଯ୍ୟାଳୟର ରେଞ୍ଜର ଭାଗ୍ୟଲକ୍ଷ୍ମୀ ବାରିକ, ଶୁଭଶ୍ରୀ ଦାସ ଓ ରେଢ଼ାଖୋଲ(କେନ୍ଦୁପତ୍ର) ବନଖଣ୍ଡ ବାହାଲପଦର ବନାଞ୍ଚଳର ଜୟନ୍ତ କୁମାର ଦାସ। ଏ ନେଇ ଶନିବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ.୧୪୭୦୬) ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ବର୍ଷର ହାତୀ ମୃତ୍ୟୁ ତଥ୍ୟ ଦାଖଲ କରାଯାଇଥିଲା, ଯେଉଁଥିରେ ଅନେକ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ତଥ୍ୟ ନ ଥିଲା। ଏହାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ପିସିସିଏଫ୍ ଓ ପୋଲିସ ଡିଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ହାଜର ହୋଇଥିଲେ। ହାତୀ ଓ ବନ୍ୟପ୍ରାଣୀ ମୃତ୍ୟୁ ରୋକିବାକୁ ସରକାର ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ଗତ ୧୩ ତାରିଖରେ ଜେଟିଏଫ୍ ଗଠନ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ଅନୁସାରେ ଜେଟିଏଫ୍ରେ ପିସିସିଏଫ୍(ବନ୍ୟପ୍ରାଣୀ) ଅଧ୍ୟକ୍ଷ ଥିବାବେଳେ ଜଣେ ଡିଏଫ୍ଓ, ୨ଜଣ ଏସିଏଫ୍, ୩ଜଣ ରେଞ୍ଜର, ଜଣେ ଏସ୍ପି କିମ୍ବା ଅତିରିକ୍ତ ଏସ୍ପି, ଦୁଇଜଣ ଇନ୍ସପେକ୍ଟର, ୩ଜଣ ସବ୍ ଇନ୍ସପେକ୍ଟର ସଦସ୍ୟ ଭାବେ ରହିବେ। ବନ୍ୟପ୍ରାଣୀ ବିଶେଷଜ୍ଞ ଭାବେ ଏସିଆନ ନେଚର କଞ୍ଜରଭେଶନ ଫାଉଣ୍ଡେଶନର ପ୍ରଫେସର ରମଣ ସୁକୁମାର, ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟର ଜିତାଶତ୍ରୁ ମହାନ୍ତି ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ଏଲିଫାଣ୍ଟ ସେଲ୍ର ନ୍ୟାଶନାଲ କୋର୍ଡିନେଟର ଡ. ପ୍ରଜ୍ଞା ପଣ୍ଡାଙ୍କ ସମେତ ଦୁଇଜଣ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ରଖାଯାଇଛି। ଏବେ ଦୁଇଜଣ ଏସିଏଫ୍ ଓ ୩ଜଣ ରେଞ୍ଜରଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି।
ଜେଟିଏଫ୍ରେ ମନୋନୀତ ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟାପ୍ରାଣୀ ବିଶେଷଜ୍ଞ। ବନ୍ୟପ୍ରାଣୀ ଅପରାଧ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ରମଣ ସୁକୁମାର ଏବଂ ଜିତାଶତ୍ରୁ ମହାନ୍ତି ଉଭୟ ଓଡ଼ିଶା ବନ ବିଭାଗର ଠିକାଦାର। ସେମାନେ ବି ବିଭାଗରୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଟଙ୍କା ନେଇଥାନ୍ତି। ହାତୀ ବିଷୟରେ ସେମାନଙ୍କ ଜ୍ଞାନକୁ କେହି ପ୍ରଶ୍ନ କରୁନାହାନ୍ତି, କିନ୍ତୁ ହାତୀ ଶୀକାର କିମ୍ବା ବନ୍ୟପ୍ରାଣୀ ଅପରାଧ ରୋକିବାରେ ତାଙ୍କର ଭୂମିକା ନାହିଁ। ତେଣୁ ବନ ବିଭାଗର ଅବହେରା ଓ କୁକର୍ମକୁ ଯେ ସେମାନେ ପଦାରେ ପକାଇବେ ତାହା ସନ୍ଦେହ ସୃଷ୍ଟି କରୁଛି। ସେହିପରି ଯେଉଁ ଦୁଇଜଣ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଏଥିରେ ସାମିଲ କରାଯାଇଛି, ସେମାନଙ୍କର ବନ୍ୟପ୍ରାଣୀ ଅପରାଧ ଦମନ ବା ଶିକାରୀଙ୍କୁ ଧରିବାରେ ସେପରି କିଛି କାର୍ଯ୍ୟ କରିଥିବାର ନଜିର ନାହିଁ। ଅନ୍ୟପକ୍ଷରେ ବନ୍ୟପ୍ରାଣୀ ଶୀକାର ବା ଅପରାଧ ରୋକିବାରେ ଯଥେଷ୍ଟ ଅବଦାନ ଅଧିକାରୀ, ବିଶେଷଜ୍ଞ ଓ ବ୍ୟକ୍ତିବିଶେଷଙ୍କୁ ବନ ବିଭାଗ ଜାଣିଶୁଣି ଟିମ୍ରୁ ବାଦ୍ ଦେଇଛି। ସେହିଭଳି ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରଜ୍ଞା ପଣ୍ଡାଙ୍କର ଏପରି ଅପରାଧ ରାକିବାରେ ରେକର୍ଡ ନାହିଁ। ଏହାବ୍ୟତୀତ ସରକାରୀ ଅଧିକାରୀଙ୍କ ବ୍ୟତୀତ ନିରପେକ୍ଷ ବ୍ୟକ୍ତିଙ୍କୁ କମିଟିରେ ନ ନେଇ ହାଇକୋର୍ଟଙ୍କୁ ଭୂଆଁ ବୁଲାଇବାକୁ ଏହା ବନ ବିଭାଗର ଏକ ଅପଚେଷ୍ଟା ବୋଲି ବିଶ୍ୱଜିତ ଅଭିଯୋଗ କରିଛନ୍ତି।