ଏକା ସାଥିରେ ୩ ଜଣଙ୍କୁ ଧକ୍କା ଦେଇ ଜଣଙ୍କୁ ବାଇକ୍‌ ସହ ଘୋଷାଡି ନେଲା ଟ୍ରକ, କ୍ଷତିପୂରଣ ଦାବିରେ ଉତ୍ତେଜନା

କୋକସରା,୧୪।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ ଅଁଲାଗୁଡା ନାଳ ପୋଲ ନିକଟରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚିକିଲି ଗ୍ରାମର ଯୋଗଧ୍ୟାନ ବେମାଲ (୩୯)।ଗରୁତର ହେଲେ ବଙ୍ଗୋମୁଣ୍ଡା ଗ୍ରାମର ଅନ୍ତ ଗହୀର ଓ କୋକସରା ମହିଳା ରାମବତୀ ଦୀପ । ଭୋର ସମୟରେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ରାସ୍ତା କଡ଼ ରେ ଥିବା ୩ ଜଣଙ୍କୁ ଧକ୍କା ଦେଇଥିଲା ଓ ଜଣକୁ ବାଇକ ସହ ଘୋଷାଡି ନେଇଥିଲା। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି।
ଅନ୍ୟପକ୍ଷେ, ଘଟଣାସ୍ଥଳରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଲୋକମାନେ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା – ଜୟପୁର ମଧ୍ୟରେ ଯାତାୟାତ ବନ୍ଦ ରହିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଟ୍ରକ ତଳେ ଚାପି ହୋଇଥିବା ଯୁବକ ଓ ଦୁଇଟି ବାଇକ୍‌କୁ କ୍ରେନ ସାହାଯ୍ୟରେ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି । ଦୁର୍ଘଟଣା ଘଟାଇଥିବା ଲୁହା ବୋଝେଇ ଟ୍ରକଟି ଛତିଶଗଡ଼ର ରାଏଗଡ଼ରୁ ଉମରକୋଟ ଯାଉଥିବା ଜଣାପଡିଛି ।