Categories: ଫୁରସତ

ମା’ଙ୍କୁ ଗିଫ୍ଟ କଲେ ନିଜ ଚୁଟିରେ ପ୍ରସ୍ତୁତ ୱିଗ୍‌

ୱାଶିଂଟନ୍‌: ମାତୃ ଦିବସରେ ଅନେକେ ତାଙ୍କ ମା’ଙ୍କୁ ଖୁସି କରାଇବା ପାଇଁ ବିଭିନ୍ନ ପ୍ରକାରର ଗିଫ୍ଟ ଦେଇଥା’ନ୍ତି। ହେଲେ ନିକଟରେ ଜଣେ ବ୍ୟକ୍ତି ମାତୃ ଦିବସରେ ତାଙ୍କ ମା’ଙ୍କୁ ଏପରି ଏକ ଗିଫ୍ଟ ଦେଇଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ। ଆମେରିକାର ଏରିଜୋନାର ବାସିନ୍ଦା ୬୧ ବର୍ଷୀୟା ମେଲାନୀ ଶାହାଙ୍କ ପିଟ୍ୟୁଟାରୀ ଗ୍ଲାଣ୍ଡରେ ଟ୍ୟୁମର ହୋଇଥିବା ଡାକ୍ତର କହିଥିଲେ। ଡାକ୍ତର ତାଙ୍କର ଏହି ଟ୍ୟୁମରର ଚିକିତ୍ସା କରିଥିଲେ ମଧ୍ୟ କିଛି ମାସ ପରେ ତାହା ପୁଣି ଥରେ ଦେଖିବାକୁ ମିଳିଥିଲା। ଡାକ୍ତର ପୁଣି ତାଙ୍କ ଚିକିତ୍ସା କରିଥିଲେ। ଏହି ଚିକିତ୍ସାରେ ମେଲାନୀଙ୍କ ମନୋବଳ ଭାଙ୍ଗିଯିବା ସହ ତାଙ୍କ ମୁଣ୍ଡର ସମସ୍ତ ଚୁଟି ମଧ୍ୟ ଉପୁଡ଼ିଗଲା। ସେ କେବେ ବି ନିଜକୁ ରୋଗିଣା ଦେଖାଯିବାକୁ ଚାହୁଁ ନ ଥିଲେ। ମେଲାନୀଙ୍କ ୨୭ ବର୍ଷୀୟ ପୁଅ ମେଟ ଶାହାଙ୍କୁ ତାଙ୍କ ମା’ଙ୍କ ଏପରି ଅବସ୍ଥା ଦେଖି ବହୁତ କଷ୍ଟ ହେଉଥିଲା। ସେଥିପାଇଁ ସେ ଏକ ଉପାୟ ଚିନ୍ତା କଲେ। ସେ ୨ ବର୍ଷ ଧରି ନିଜ ଚୁଟି ନ କାଟି ତାକୁ ବଢ଼ାଇଲେ। ଏହି ୨ ବର୍ଷ ମଧ୍ୟରେ ତାଙ୍କ ଚୁଟି ୧୨ ଇଞ୍ଚ ବଢ଼ିଯାଇଥିଲା। ପରେ ସେ ତାଙ୍କ ଚୁଟିକୁ କାଟି ଏକ ଶୋ’ରୁମ୍‌କୁ ୱିଗ୍‌ ତିଆରି କରିବାକୁ ଦେଲେ। ସେହି ୱିଗ୍‌ର ମୂଲ୍ୟ ୨୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ ଲକ୍ଷ ୬୪ ହଜାର ଟଙ୍କା ହେବ। ଉକ୍ତ ୱିଗ୍‌କୁ ମେଟ୍‌ ତାଙ୍କ ମା’ଙ୍କୁ ଗିଫ୍ଟ ଆକାରରେ ଦେଇଥିଲେ, ଯାହା ତାଙ୍କ ମା’ ମେଲାନୀଙ୍କୁ ବେଶ ପସନ୍ଦ ଆସିଥିବା ସେ କହିଥିଲେ।

Share