Categories: ଜାତୀୟ

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର ପାଇଁ ନୂଆ ସକାଳ ନେଇ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କଶ୍ମୀରବାସୀଙ୍କ ମୃତ୍ୟୁରେ ଚୁପ୍‌ ରହିଥିବା ଗିଲାନି ରାଜ୍ୟର ଯୁବକଙ୍କୁ ଆତଙ୍କବାଦୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଲୋଚନା ହେଉଛି। ତେବେ ନିଜ ପିଲାଙ୍କୁ ସେ ବିଦେଶରେ ପାଠପଢ଼ାଇ କଶ୍ମୀରର ଆତଙ୍କବାଦଠାରୁ ସବୁବେଳେ ଦୂରେଇ ରଖିଥିଲେ। କ୍ଷମତା ପାଇଁ ଆତଙ୍କବାଦର ଆଶ୍ରୟ ନେଇ ଗିଲାନି କଶ୍ମୀରରେ ଗନ୍‌ କଲଚର ଆରମ୍ଭ କରିଥିଲେ। ନବେ ଦଶକଠାରୁ ଗିଲାନି କ୍ଷମତା ଲାଗି ଏଭଳି କାର୍ଯ୍ୟ ଜାରି ରଖିଥିଲେ। ୟାସିନ୍‌ ମଲିକ୍‌ ଏବଂ ମୀର୍‌ଓ୍ବାଇଜ୍‌ ଉମର ଫାରୁକ୍‌ଙ୍କ ସହିତ ମିଳିତ ହୋଇ ତାଙ୍କ ଦଳ କାର୍ଯ୍ୟକରୁଥିଲା। ଏବେ ୟାସିନ୍‌ ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦ ଥିବାବେଳେ ମୀର୍‌ଓ୍ବାଇଜ୍‌ ହାଉସ୍‌ ଆରେଷ୍ଟରେ ରହିଛନ୍ତି। ତାଙ୍କ ଇସ୍ତଫା ପରେ ରାଜ୍ୟରେ ଗନ୍‌ କଲଚର୍‌ର ଶେଷ ହେବ ବୋଲି ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି। ନିଜ ଇସ୍ତଫା ସମ୍ପର୍କରେ ୯୧ ବର୍ଷ ବୟସ୍କ ଗିଲାନି ୪୭ ସେକେଣ୍ଡର ଏକ ଭିଡ଼ିଓ କ୍ଲିପ୍‌ ଜାରି କରିଛନ୍ତି। ଦଳର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏଭଳି କରିଥିବା କହିଛନ୍ତି। ଗିଲାନିଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ ରାଜ୍ୟରେ ଆତଙ୍କବାଦ ଘଟଣା କମ୍‌ ହେବ ବୋଲି ଆଶା କରାଯାଉଥିବା କୁହାଯାଉଛି।

Share