ଜେନେଭା, ୨୯।୯: ପାକିସ୍ତାନ ପକ୍ଷରୁ ଗିଲଗିଟ୍-ବାଲ୍ଟିସ୍ତାନରେ ନିର୍ବାଚନ କରାଯିବା ଲାଗି ଘୋଷଣା କରାଯାଇଛି। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା ସମ୍ପୂର୍ଣ୍ଣଭାବେ ମାନବାଧିକାରର ଉଲ୍ଲଂଘନ ବୋଲି କୁହାଯାଇଛି। ୧୯୪୭ ସୀମା ପରିଗ୍ରହଣ ନିଷ୍ପତ୍ତି ଅନୁସାରେ ଜମ୍ମୁ-କଶ୍ମୀର, ଲଦାଖ, ଗିଲଗିଟ୍-ବଲ୍ଟିସ୍ତାନ ଭାରତର ଅଂଶ ବିଶେଷ। ତେବେ ଏଠାରେ ପାକିସ୍ତାନ ୨୦୨୦ ନଭେମ୍ବର ୧୫ରେ ନିର୍ବାଚନ କରାଇବାକୁ ଯୋଜନା କରିଛି। ଜାତିସଂଘରେ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଭାରତ ପକ୍ଷରୁ ବହିର୍ବ୍ୟାପାର ସଚିବ ବିଜୟା ଠାକୁର ସିଂ ଉପସ୍ଥାପନ କରିଛନ୍ତି। ଏହା ଦ୍ୱାରା ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ପାକିସ୍ତାନ ଏସବୁ ଅଞ୍ଚଳ ଶୀଘ୍ର ଖାଲି କରିବା ଆବଶ୍ୟକ ବୋଲି ସେ କହିଛନ୍ତି।