Categories: ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସୁଛି। ଭାରତର ତାରକା ଓପନର୍‌ ଶୁଭମନ ଗିଲ୍‌ ଆଜି ଚେନ୍ନାଇରୁ ଅହମ୍ମଦାବାଦ ଯିବେ। ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ପୁନରୁଦ୍ଧାର ଜାରି ରହିବ ଏବଂ ସେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି। ଗିଲ୍‌ ଡେଙ୍ଗୁରେ ପୀଡିତ ଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳିନଥିଲେ। ଏହା ପରେ ସେ ଚିକିତ୍ସା ପାଇଁ ଚେନ୍ନାଇରେ ରହିଥିଲେ ଏବଂ ବାକି ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଦିଲ୍ଲୀ ଯାଇଥିଲେ। ବର୍ତ୍ତମାନ ଗିଲ୍‌ ଅହମ୍ମଦାବାଦରେ ଭାରତୀୟ ଦଳରେ ଯୋଗଦେବେ। ଏଠାରେ ଭାରତକୁ ୧୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ।

ଗିଲ୍‌ଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିସିସିଆଇ ଦ୍ୱାରା କୌଣସି ଅପ୍‌ଡେଟ ଦିଆଯାଇନାହିଁ। ତେବେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଗିଲ୍‌ ଆଜି ଅହମ୍ମଦାବାଦରେ ପହଞ୍ଚିବେ ଏବଂ ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବାର ସମ୍ଭାବନା ରହିଛି।

 

Share