Categories: ଖେଳ

ଗିଲ୍‌ଙ୍କ ପ୍ରଥମ ଆଇପିଏଲ୍‌ ଶତକ

ଅହମଦାବାଦ, ୧୬।୫: ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଶତକ ଅର୍ଜନ କରି ସାରିଥିବା ଶୁବମନ ଗିଲ୍‌ ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ଗିଲଙ୍କ ୧୦୧ ରନ୍‌ ବଳରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୮୮ ରନ୍‌ ସଂଗ୍ରହ କରିଛି ଗୁଜରାଟ ଟାଇଟନ୍ସ। ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଟି ନଟରାଜନଙ୍କ ସ୍ଥାନରେ ଅନମୋଲପ୍ରୀତ ସିଂ ଓ ଶୁବମନ ଗିଲ୍‌ଙ୍କ ସ୍ଥାନରେ ୟଶ ଦୟାଲ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭାବରେ ସାମିଲ ହୋଇଥିଲେ।
ଗିଲ୍‌-ସୁଦର୍ଶନଙ୍କ ଶତକୀୟ ଭାଗୀଦାରି: ପ୍ରଥମ ଓଭରରେ ରିଦ୍ଧିମାନ ସାହାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ ଭୁବନେଶ୍ୱର କୁମାର। ତେବେ ଦ୍ୱିତୀୟ ଉଇକେଟରେ ୧୪୭ ରନ୍‌ ଯୋଡିଥିଲେ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନ। ୮୨ ବଲ୍‌ ଖେଳି ଉଭୟ ୧୪୭ ରନ୍‌ ଯୋଡି ଗୁଜରାଟକୁ ସଙ୍କଟରୁ ଉଦ୍ଧାର କରିଥିଲେ। ସୁଦର୍ଶନ ୪୭ ରନ୍‌ କରିଥିବା ବେଳେ ୧୦୧ ରନ୍‌ କରିଥିବା ଗିଲ୍‌ ନିଜ ଆଇପିଏଲ୍‌ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସୁଦର୍ଶନ ୩୬ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଗିଲ୍‌ ୫୮ ବଲ୍‌ ଖେଳି ୧୩ ଚୌକା ଓ ୧ ଛକା ମାରିଥିଲେ।
ମିଡିଲ ଅର୍ଡର ଫେଲ୍‌: ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟର ମିଡିଲ ଅର୍ଡର ସନରାଇଜର୍ସ ବିପକ୍ଷରେ ସମ୍ପୂର୍ଣ୍ଣ ଫେଲ ମାରିଥିଲା। ଏକଦା ୨୩୦-୪୦ ରନ୍‌ କରିବା ଭଳି ଲାଗୁଥିବା ଗୁଜରାଟ ୧୮୮ ରନ୍‌ କରିବାରେ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଗିଲ୍‌ ଓ ସୁଦର୍ଶନଙ୍କୁ ଛାଡି ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବିଶିଷ୍ଟ ସ୍କୋରରେ ପହଞ୍ଚି ପାରି ନ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୮), ଡେଭିଡ୍‌ ମିଲର(୭), ରାହୁଲ ଟଓ୍ବେଟଟିଆ(୩), ଦସୁନ ସନକା(୯*) ଓ ରଶିଦ୍‌ ଖାନ୍‌(୦) ବିଫଳ ହୋଇଥିଲେ।
ଭୁବନେଶ୍ୱରଙ୍କ ୫ ବଲ୍‌ରେ ୪ ଉଇକେଟ: ଆଇପିଏଲ୍‌ କ୍ୟାରିୟରରେ ଭୁବନେଶ୍ୱର କୁମାର ଦ୍ୱିତୀୟ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ୩୦ ରନ୍‌ ଦେଇ ୫ ଉଇକେଟ ନେଇଥିବା ଭୁବନେଶ୍ୱର ଅନ୍ତିମ ଓଭର ବୋଲିଂ କରି ୫ ବଲ୍‌ରେ ୪ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ। ପ୍ରଥମ ବଲରେ ଗିଲ୍‌ଙ୍କୁ ଆଉଟ କରିବା ପରେ ବିପଜ୍ଜନକ ରଶିଦ୍‌ ଖାନ୍‌ ଦ୍ୱିତୀୟ ବଲ୍‌ରେ କଟ୍‌ ବିହାଇଣ୍ଡ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଏକ ବାଇ ରନ୍‌ ନେବାକୁ ଯାଇ ନୁର ଅହମ୍ମଦ ରନ୍‌ ଆଉଟ ହୋଇଥିବା ବେଳେ ପଞ୍ଚମ ବଲରେ ଆଉଟ ହୋଇଥିଲେ ମହମ୍ମଦ ଶାମି। ହାଇଦ୍ରାବାଦ ପକ୍ଷରୁ ମାକ୍ରୋ ଜାନସେନ୍‌, ଫଜଲ୍ଲହକ୍‌ ଫାରୁକି ଓ ଟି ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୮୮/୯(ଶୁମବାନ ଗିଲ୍‌-୧୦୧, ସାଇ ସୁଦର୍ଶନ-୪୭, ଭୁବନେଶ୍ୱର କୁମାର-୫/୩୦, ମାକ୍ରୋ ଜାନସେନ୍‌-୧/୩୯, ଫଜଲ୍ଲହକ୍‌ ଫାରୁକି-୧/୩୧, ଟି ନଟରାଜନ-୧/୩୯)।

Share