Categories: ଜାତୀୟ

୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ

ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମୃତ ନାବାଳିକାଙ୍କ ୫୦ ବର୍ଷୀୟା ଜେଜେମାଙ୍କ ବୟଫ୍ରେଣ୍ଡ୍‌। ଦୁହଁିଙ୍କ ସମ୍ପର୍କରେ ୩ ବର୍ଷୀୟା ନାତୁଣି ବାଧକ ସାଜିଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଗତ ୨୫ ତାରିଖରେ ଶିଶୁକନ୍ୟା ନିଖୋଜ ହେବା ରିପୋର୍ଟ ହେବା ପରେ ତାର ଜେଜେମାଙ୍କୁ ପଚରାଉଚରା କରାଯାଇଥିଲା। ୩ ଦିନ ପରେ ଇଲାହାବାସ ଗ୍ରାମର ଏକ ନିର୍ମାଣଧୀନ କୋଠା ପାଖରୁ ମିଳିଥିଲା ପୀଡ଼ିତାଙ୍କ ମୃତଦେହ। ହତ୍ୟା କରାଯିବା ପୂର୍ବରୁ ଶିଶୁକୁ ବଳାତ୍କାର କରାଯାଇଥିବା ଜଣାପଡ଼ିଥିଲା ପୋଲିସ ପକ୍ଷରୁ କୁହାଯାଇଛି।

ଶିଶୁକନ୍ୟାଙ୍କ ବାପା ଗତ ଦୁଇ ବର୍ଷ ହେଲା ଜେଲରେ ଥିବା ବେଳେ ମା’ ବାପ ଘରେ ରହୁଥିଲେ।

“ମହିଳା ଜଣଙ୍କ ୨୫ ତାରିଖରେ ସ୍ଥାନୀୟ ପୋଲିସକୁ ଫୋନ କରି ତାଙ୍କ ନାତୁଣି ନିଖୋଜ ହୋଇଥିବା ଜଣାଇଥିଲେ। ଏଣୁ ଆଇପିସି ଦଫା ୩୬୩ (ନିଖୋଜ)ରେ ମାମଲା ରୁଜୁ କରି ଶିଶୁ ପାଇଁ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲୁ। ହତ୍ୟା ପୂର୍ବରୁ ତା’ ସହ ବଳାତ୍କାର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଏକ ନିର୍ମାଣଧୀନ କୋଠାର ପ୍ଲାଏଉଡ୍‌ ତଳେ ରଖାଯାଇଥିଲା। ତଦନ୍ତ ପରେ ମୃତ ନାବାଳିକଙ୍କ ଜେଜେମା ସବୁ କିଛି ସ୍ବୀକାର କରିଥିଲେ। ଅଭିଯୁକ୍ତ ବୁଲନ୍ଦଶାହର ଜିଲାର। ମାତ୍ର ସେ ଦୀର୍ଘଦିନ ହେଲା ନୋଏଡ଼ାର ସେକ୍ଟର ୮୮ ପାଖରେ ରହୁଥିଲେ। ସେ ଜଣେ ଅପରାଧିକ ମାନସିକ ରଖୁଥିବା ବ୍ୟକ୍ତି। ସମ୍ପର୍କରେ ବାଧକ ସାଜୁଥିବା ଭାବି ସେ ତାଙ୍କ ପ୍ରେମିକାଙ୍କ ସହ ମିଶି ଶିଶୁକନ୍ୟାର ହତ୍ୟା ଷଡ଼ଯନ୍ତ୍ର କରିଥିଲେ” ବୋଲି ପ୍ରବକ୍ତା କହିଛନ୍ତି।

Share