ସ୍ଲଟ୍‌ ବୁକିଂ କଲେ ବରଗଡ଼ର ଯୁବତୀ, ଟିକା ନେଲେ ଉତ୍ତରପ୍ରଦେଶ ଲୋକ

ବରଗଡ଼ ଅଫିସ୍‌,୨୩।୧୦: ଦେଶରେ ଶହେ କୋଟି କୋଭିଡ୍‌ ଟିକାକରଣ ନେଇ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ କୋଭିଡ୍‌ ଟିକା ନେଇ ନ ଥିବା ଲୋକଙ୍କୁ ମିଳିଛି ଭୁଲ ଟିକାକରଣ ପ୍ରମାଣପତ୍ର। ଏଭଳି ଘଟଣା ଘଟିଛି ବରଗଡ଼ର ଯୁବତୀ ଯଶୋବନ୍ତୀ ସାହୁଙ୍କ ସହ। ସେ ପ୍ରଥମ ଡୋଜ୍‌ କୋଭିଡ୍‌ ଟିକା ନେବା ପାଇଁ କୋୱିନ୍‌ ପୋର୍ଟାଲରେ ସ୍ଲଟ୍‌ ବୁକିଂ କରିଥିଲେ। ଗତ ଜୁଲାଇ ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ବରଗଡ଼ ସହର ଉପକଣ୍ଠ କଟାପାଲି ହାଇସ୍କୁଲ ଟିକାକେନ୍ଦ୍ରରେ ଟିକା ନେବା ପାଇଁ ଉକ୍ତ ପୋର୍ଟାଲରେ ତାଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ସେତେବେଳେ ଜ୍ୱର ହେଉଥିବା ଯୋଗୁ ସେ ଟିକାକେନ୍ଦ୍ରକୁ ଯାଇ ପାରି ନ ଥିଲେ । ପରେ ପୁଣି ଥରେ ସେ ସ୍ଲଟ୍‌ ବୁକିଂ କରିବା ପରେ ଯଶୋବନ୍ତୀଙ୍କ ପାଖକୁ ଏକ ମେସେଜ ଆସିଥିଲା ।

ଉକ୍ତ ମେସେଜରେ ସେ ଗତ ସେପ୍ଟେମ୍ବର ୧୭ତାରିଖରେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ମିଥାଉରାର ଏକ ଟିକାକେନ୍ଦ୍ରରେ ଟିକା ନେଇ ସାରିଥିବା ଉଲ୍ଲେଖ ରହିଥିଲା। ଅନ୍ୟପଟେ ଯଶୋବନ୍ତୀ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି ଏବଂ ସେ କୋଭିଡ୍‌ ଟିକା ନେଇ ନ ଥିବା କହିଛନ୍ତି । ତେବେ ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅରୁଣ ପାତ୍ରଙ୍କୁ ପଚାରିବାରୁ ଟେକ୍ନିକାଲ ସମସ୍ୟା ଯୋଗୁ ସେଭଳି ତ୍ରୁଟି ହୋଇଛି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Share