ଝିଅକୁ ଖୋଜି ଆଣିବାକୁ ଥାନାର ଦ୍ୱାରସ୍ଥ ହେଲେ ବାପା

କୋକସରା,୩୧ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝୀଗୁଡ଼ା ପଞ୍ଚାୟତ ମହୁଳମୁଣ୍ଡା ଗାଁର ଧବଳେଶ୍ବର ରାଉତଙ୍କ ଝିଅ ଜୟନ୍ତୀ(୧୮) ଗତ ୨୬ ତାରିଖ ରାତିରୁ ନିଖୋଜ ଅଛନ୍ତି। ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ଏନେଇ ବାପା ଧବଳେଶ୍ୱର ୨୮ ତାରିଖ ସନ୍ଧ୍ୟାରେ କୋକସରା ଥାନାରେ ଏକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ଜୟନ୍ତୀ ଖାଇବା ପରେ ମା’ ଗୀତାଞ୍ଜଳି ଓ ଭଉଣୀଙ୍କ ସହ ଶୋଇଥିଲେ । ହେଲେ ସକାଳେ ସେ ଘରେ ନ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏନେଇ ବାପା ଧବଳେଶ୍ବର ଝିଅକୁ ଖୋଜି ଆଣିବାକୁ ପୋଲିସ ନିକଟରେ ନିବେଦନ କରିଛନ୍ତି। କୋକସରା ଥାନା ପୋଲିସ ଏକ ମାମଲା(ନଂ.୩୨/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଏଏସ୍‌ଆଇ ଦାମୋଦର ନାଏକ କହିଛନ୍ତି।

Share