୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା

କେନ୍ଦୁଝର, ୨୬ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ନିଖୋଜ କନ୍ୟା ସୋମବାର ଶିଶୁ ମଙ୍ଗଳ ସମିତିଙ୍କ ହସ୍ତକ୍ଷେପ ପରେ ପରିବାରକୁ ଫେରିଛନ୍ତି। ନାବାଳିକାଙ୍କୁ ତାଙ୍କ ପିଉସା ଜଣଙ୍କ ଘରେ କାମ କରିବାକୁ ପରିବାର ଲୋକଙ୍କ ନ ଜଣାଇ ଛାଡ଼ିଦେଇଥିଲେ। ନିର୍ଯାତନା ସହି ନ ପାରି ନାବାଳିକା ଲୁଚି ଘରୁ ପଳାଇ ଆସିଥିବା ବେଳେ ଶିଶୁ ମଙ୍ଗଳ କମିଟି ଦ୍ୱାରା ଉଦ୍ଧାର କରାଯାଇଥିଲା। ଝିଅ ଫେରିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି।
ସୂଚନା ଅନୁଯାୟୀ, ଗୁରୁବା ଜଣେ ଗରିବ ଆଦିବାସୀ ପରିବାରର। ତାଙ୍କର ପାଞ୍ଚ ଝିଅ ଓ ଜଣେ ପୁଅ ଅଛନ୍ତି। ୨୦୧୯ରେ ତାଙ୍କର ଦ୍ୱିତୀୟ ସନ୍ତାନ (ଏବେ ବୟସ ୧୨)ଙ୍କୁ ଝିଅର ପିଉସା ରାଜୁ ମୁଣ୍ଡା ଭଦ୍ରକକୁ ବୁଲାଇ ନେବାକୁ କହି ତାଙ୍କ ଭାଇ ଘର ବାଲେଶ୍ୱରରେ ଛୁଆ ଦେଖାରଖା କରିବାକୁ ଛାଡ଼ିଥିଲେ। ଛୁଆ କାନ୍ଦିଲେ ସେଠାରେ ମାଡ଼ ମରାଯାଉଥିବା ନାବାଳିକା କହିଛନ୍ତି। ତେଣୁ ସେଠାରୁ ସେ ଲୁଚି ପଳାଇଥିଲେ। ପରେ ପୋଲିସ ଉଦ୍ଧାର କରି ଏକ ସଂସ୍ଥାରେ ରଖିଥିଲା। ଝିଅ ଘରକୁ ନ ଫେରିବାରୁ ପିଉସାଙ୍କୁ ପଚାରିବାରୁ ବାଲେଶ୍ୱର ତାଙ୍କ ସହ ଯାଇଥିବା ବେଳେ କୁଆଡ଼େ ପଳାଇଗଲା ବୋଲି କହିଥିଲେ। ଏ ନେଇ ପାଟଣା ଥାନାରେ ଗୁରୁବାଙ୍କ ସ୍ତ୍ରୀ ବୈଶାଖୀ ମୁଣ୍ଡା ଅଭିଯୋଗ କରିଥିଲେ। ତେବେ ପାଟଣା ପୋଲିସ ବାଲେଶ୍ୱରରେ ଅଭିଯୋଗ କରିବାକୁ କହିବା ସହ ଝିଅର ଆଧାରକାର୍ଡ ମାଗିଥିଲା। ଝିଅର ଆଧାରକାର୍ଡ ନ ଥିବାରୁ ଫେରିଯାଇଥିଲେ। ଗ୍ରାମବାସୀ, ବନ୍ଧୁ ବାନ୍ଧବ ଝିଅକୁ ବିକ୍ରି କରିଦେଇଥିବା ନେଇ କଟୁ ମନ୍ତବ୍ୟ ଦେବା ସହ ଶୁଦ୍ଧି ହେବା ପାଇଁ ବାଧ୍ୟ କରୁଥିଲେ ବୋଲି ବୈଶାଖୀ କହିଛନ୍ତି।
ନାବାଳିକାଙ୍କୁ ଛାଡ଼ିବାକୁ ଆସିଥିବା ବାଲେଶ୍ୱର ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶତୃଘ୍ନ ମଲ୍ଲିକ କହିଛନ୍ତି, ପିଲାଟି ଏକୁଟିଆ ବୁଲୁଥିବା ଅବସ୍ଥାରେ ୨୦୧୯ରେ ଉଦ୍ଧାର ହୋଇଥିଲା। କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିଭୂତି ଦାଶ କହିଛନ୍ତି, ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପଢ଼ିବା ପାଇଁ ପାଖ ବିଦ୍ୟାଳୟର ବ୍ୟବସ୍ଥା କରାଯିବା ସହ ସୁବିଧା ଯୋଗାଇ ଦିଆଯିବ। ହସ୍ତାନ୍ତର ବେଳେ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୋନାଲୀ ଦାଶ, ରାଜଶ୍ରୀ ଉପାଧ୍ୟାୟ ଓ ସଦସ୍ୟ କୃଷ୍ଣଚନ୍ଦ୍ର ବାରିକ ଏବଂ ବାଲେଶ୍ୱରର ଚାଇଲ୍ଡ ଲାଇନ୍‌ର ଜଣେ ସଦସ୍ୟା ଉପସ୍ଥିତ ଥିଲେ।