ବେଦିରେ କନ୍ୟା ଅମଙ୍ଗ, ବର ଅଚେତ

ବାଲିଆପାଳ, ୧୯ା୫(ସ୍ବ.ପ୍ର.): ବେଦି ସଜା ହୋଇଥିଲା। ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ବୈଦିକ ରୀତିନୀତିରେ ଚାଲିଥିଲା ବିବାହ କାର୍ଯ୍ୟ। ବର କନ୍ୟାଙ୍କ ହାତଗଣ୍ଠି ବି ପଡିସାରିଥିଲା। ହେଲେ କନ୍ୟାଙ୍କୁ ବର ସିନ୍ଦୂର ପିନ୍ଧାଇବା ବେଳେ ସବୁ କିଛି ଓଲଟପାଲଟ ହୋଇଗଲା। ହଠାତ୍‌ କନ୍ୟା ବେଦି ଉପରୁ ଉଠି ତାଙ୍କର ସ୍ବାମୀ ଅଛନ୍ତି, ପୂର୍ବରୁ ସେ ବାହା ହୋଇ ସାରିଛନ୍ତି ବୋଲି କହି ହାତରୁ ଶଙ୍ଖା ଖୋଲି ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ତାଙ୍କ ପରିବାର ଲୋକେ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ସେ ବେଦି ଛାଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ପରିବାର ଲୋକେ ଅଟକାଇ ମାରପିଟ୍‌ କରିଥିଲେ। କନ୍ୟାଙ୍କର ଏପରି କାଣ୍ଡ ଦେଖି ବେଦି ଉପରେ ନିର୍ବାକ ହୋଇ ବସିଥିବା ବର ଚେତାଶୂନ୍ୟ ହୋଇପଡ଼ିଥିଲେ। ବରଘର ପକ୍ଷରୁ କାନ୍ଦବୋବାଳି ଆରମ୍ଭ ହୋଇଥିଲା। ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ବୁଧବାର ଘଟିଥିବା ଏଭଳି ଅଭାବନୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚାର ବିଷୟ ହୋଇଛି। ଏସବୁ ଘଟଣା ପରେ ବରପକ୍ଷ ଲୋକେ ବରକୁ ଫେରାଇ ନେଇଯିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ କନ୍ୟାଙ୍କୁ ତାଙ୍କ ଘର ଲୋକେ ଘରୁ ବାହାର କରିଦେବା ପରେ ସେ ତାଙ୍କ ପ୍ରେମିକଙ୍କ ଘରେ ଆଶ୍ରୟ ନେଇଛନ୍ତି। ବାଲେଶ୍ୱର ଚାଇଲ୍ଡଲାଇନ ଜିଲା ମୁଖ୍ୟ ପ୍ରଶାନ୍ତ ରାଉତ, ବାଲିଆପାଳ ଆଇସିଡିଏସ୍‌ ସୁପରଭାଇଜର ସ୍ଲିପାରାଣୀ ସାହୁ, ବାଲିଆପାଳ ଚାଇଲ୍ଡଲାଇନ ଟିମ୍‌ ମେମ୍ବର ଉତ୍ତମ କୁମାର ନାୟକ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ କନ୍ୟା ନାବାଳିକା ଥିବା ଚାଇଲ୍ଡଲାଇନ ମୁଖ୍ୟ ରାଉତ ସୂଚନା ଦେଇଛନ୍ତି।