ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ବିବାହ କରିବାକୁ ୩୦୦ କିମି ଯାତ୍ରା କରି ପହଞ୍ଚିଲେ ଏହି ଯୁବତୀ: ଏବେ ବଡ଼ଭାଇଙ୍କୁ ବିବାହ କରିବେ ବୋଲି ଦେଇଛନ୍ତି ଧାରଣା

କାନପୁର,୨୯।୮: ଉତ୍ତରପ୍ରଦେଶର କାନପୁରରେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ମିଳିଛି। ଜଣେ ଯୁବତୀ ନିଜର ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ଭେଟିବା ପାଇଁ ୩୦୦ କିମି ଯାତ୍ରା କରି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କଠାରୁ ପ୍ରେମିକ ୫ବର୍ଷ ସାନ ବୋଲି ଜଣାପଡ଼ିଥିଲା। ଅନ୍ୟପକ୍ଷେ ଯୁବତୀଙ୍କ ବୟସ ୨୪ ବର୍ଷ ଥିଲା। ପ୍ରେମିକ ନାବାଳକ ବୋଲି ଜଣାପଡ଼ିବା ପରେ ଏବେ ଯୁବତୀଜଣଙ୍କ ତାଙ୍କ ବଡ଼ ଭାଇଙ୍କୁ ବିବାହ କରିବାକୁ ଜିଦ ଧରିଛନ୍ତି। ଯେପର୍ଯ୍ୟନ୍ତ ପରିବାରଲୋକେ ରାଜି ନ ହୋଇଛନ୍ତି ସେ ସେହିଭଳି ଘର ଆଗରେ ବସି ରହିବେ ବୋଲି ମଧ୍ୟ ଶୁଣାଇଦେଇଛନ୍ତି।

ଯୁବତୀଜଣଙ୍କ ଶାହାଜହାଁପୁରର ବାସିନ୍ଦା। ହ୍ବାଟ୍ସଆପ୍‌ରେ କାନପୁରର ପରୌଲି ଗ୍ରାମର ଅମିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଯୋଡ଼ି ହୋଇଯାଇଥିଲା। ଏହାପରେ ସେ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ। ଖାସ୍‌ ଏଥିପାଇଁ ଘରଠାରୁ ୩୦୦ କିମି ଦୂରରେ ଥିବା ଅମିତଙ୍କ ଘରେ ସେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚି ଯାହା ଜାଣିବାକୁ ପାଇଥିଲେ ତାହା ତାଙ୍କ ହୋସ୍‌ ଉଡାଇଦେଇଥିଲା। ପ୍ରେମିକଜଣଙ୍କ ନାବାଳକ ଥିଲେ। ହେଲେ ଅମିତଙ୍କ ବଡ଼ଭାଇ ଅବିବାହିତ ଥିବା ଜାଣି ସେ ତାଙ୍କୁ ବିବାହ କରିବାକୁ କହୁଛନ୍ତି। ସେ ଭିନ୍ନ ସମ୍ପ୍ରଦାୟର ଥିବାରୁ ଅମିତଙ୍କ ପରିବାରଲୋକେ ଏହାକୁ ଗ୍ରହଣ କରୁନାହାନ୍ତି। ହେଲେ ତାଙ୍କ ସାବତ ମା’ ବହୁତ ଅତ୍ୟାଚାର କରୁଥିବାରୁ ସେ ଆଉ ଫେରିବେ ନାହିଁ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଯୁବତୀଜଣଙ୍କ କହିଛନ୍ତି।

ତେବେ ଯୁବତୀଙ୍କ ବାପା ଇଞ୍ଜିନିୟର ଥିବା ବେଳେ ସେ ମଧ୍ୟ ଓକିଲାତି କରୁଛନ୍ତି। ଅପରପକ୍ଷେ ଅମିତ ଯୁବତୀଙ୍କ କେବଳ ବନ୍ଧୁ ବୋଲି କହିଛନ୍ତି। ବିବାହକୁ ନେଇ ତାଙ୍କ ଭିତରେ କୌଣସି କଥା ହୋଇ ନ ଥିବା ସେ କହିଛନ୍ତି। ଏପରିକି ଯୁବତୀ ତାଙ୍କ ନାମ ରିୟା ବୋଲି କହିଥିବା ସେ କହିଛନ୍ତି। ସେ ବୟସରେ ଛୋଟ ହୋଇଥିବା ହେତୁ ବିବାହ କରିବାକୁ ରାଜି ନୁହନ୍ତି। ଯୁବତୀ ଏଭଳି ଭାବେ ବସିରହିବା ତାଙ୍କୁ ଚିନ୍ତାରେ ପକାଇଛି ବୋଲି ସେ କହିଛନ୍ତି।

Share