ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !

ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍‌ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା ବେଶ୍‌ ଦର୍ଶକୀୟ ସ୍ବୀକୃତି। ଆଉ ଏହାକୁ ଦେଖିବା ପରେ କେତେଜଣ ମିଷ୍ଟର ଇଣ୍ଡିଆ ପରି ଅଦୃଶ୍ୟ ହୋଇଯିବାକୁ ମନ ବଳାଇଥିଲେ। ଏବେ ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ନିର୍ଦ୍ଦେଶକ ଶେଖର କପୁରଙ୍କ ସାମ୍ନାରେ ଜଣେ କୁନି ଝିଅ ଏମିତି ପ୍ରଶ୍ନ ରଖିଛନ୍ତି ଯାହାର ଉତ୍ତର ଦେବା ତାଙ୍କପାଇଁ କାଠିକର ପାଠ ହୋଇଯାଇଛି। ଶିଶୁଙ୍କ ପିତା ଲେଖିଛନ୍ତି ମୋ ଝିଅ ଚାହୁଁଛି ସେ ମିଷ୍ଟର ଇଣ୍ଡିଆ ଭଳି ହୋଇ ଚାଇନା ସହ ଲଢିବ। ତେବେ ସୋସିଅଲେ ମିଡିଆରେ ଶିଶୁଟିର ଦେଶପ୍ରେମକୁ ଅନେକ ଲୋକ ତାରିଫ କରିଛନ୍ତି। ଏହାପରେ ଶେଖର କପୁର ଏହାର ଉତ୍ତରରେ ଲେଖିଛନ୍ତି ଯେବେ ଆପଣଙ୍କ ଝିଅ ବଡ ହୋଇଯିବ ସେବେ ମୁଁ ତାଙ୍କୁ ମିଷ୍ଟର ଇଣ୍ଡିଆ ଭଳି ଅଦୃଶ୍ୟ ହେବାର କୌଶଳ ଶିଖାଇ ଦେବି। ଶେଖର କପୁରଙ୍କ ଏଭଳି ଜବାବ ଶିଶୁଟିର ସାହସ ବୃଦ୍ଧି କରିବ ବୋଲି ଆଲୋଚନା ହେଉଛି। ଏହାପରେ ଶିଶୁଟିର ପିତା ଖୁସି ହୋଇ ଲେଖିଛନ୍ତି ଧନ୍ୟବାଦ ସାର୍‌ ମୁଁ ସେହି ଦିନକୁ ଅପେକ୍ଷା ରଖିଲି ଯେବେ ମୋ ଝିଅ ମିଷ୍ଟର ଇଣ୍ଡିଆ ହେବ।

Share