ଝିଅକୁ ହତ୍ୟା କରି ଝୁଲାଇ ଦେଲେ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ ଏକ ବ୍ଳାଉଜରେ ଶିଡିଘର ପୁଆରେ ଝୁଲୁଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସସ୍ମିତାଙ୍କ ବାପା ରବିନାରାୟଣ ବେହେରା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବାପା ରବି ନାରାୟଣଙ୍କ ଅଭିଯୋଗ କରିଛନ୍ତି ଯେ, ଝିଅ ସସ୍ମିତା ବେନ୍ତପୁର ଗାଁର ଚିତ୍ତରଞ୍ଜନଙ୍କ ସହ ୨୦୨୦ ଜାନୁଆରୀ ୨୪ ତାରିଖରେ ଅନୁଗୋଳ ବୁଢୀ ଠାକୁରାଣୀ ମନ୍ଦିରରେ ବାହାଘର ହୋଇଥିଲା। ବାହାଘର ବେଳେ ଯୌତୁକ ବାବଦକୁ ଟିଭି, ଫ୍ରିଜ, ସୁନା ଚେନ, ମୋଟରସାଇକେଲ ସମେତ ନଗଦ ୩୦ ହଜାର ଟଙ୍କା ଦିଆଯାଇଥିଲା। ହେଲେ ବାହାଘରର କିଛି ଦିନ ପରେ ଜ୍ୱାଇ ଚିତ୍ତରଞ୍ଜନଙ୍କ ସମେତ ପରିବାର ଲୋକେ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଦାବି କରି କରିଥିଲେ। ଏନେଇ ସସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ। ତେବେ ରବି ନାରାୟଣ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଝିଅକୁ ମାର୍‌ପିଟ ନ କରିବାକୁ ନେହୁରା ହୋଇଥିଲେ। କିନ୍ତୁ ଶନିବାର ସକାଳେ ଝିଅର ମୃତ୍ୟୁ ଖବର ପାଇଥିଲେ। ଖବରପାଇ ବେନ୍ତପୁର ଆସି ଦେଖିବା ବେଳକୁ ଝିଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ସେ ଏକ ବ୍ଳାଉଜରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହା ଏକ ଯୋଜନା ମୁତାବକ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Share