ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳିକା

ଚିତ୍ରକୋଣ୍ଡା,୧୨।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ଅପରେଟର କଲୋନୀର ପଦ୍ମିନୀ କାନ୍ଦୁଲିଆ(୧୫)। ମିଳିଥିବା ସୂଚନା ମୁତାବକ, ପରିବାର ଲୋକଙ୍କ ସହ ପଦ୍ମିନୀ ଆଈ ଘର ଚିତ୍ରକୋଣ୍ଡାସ୍ଥିତ ଦୋରାଘାଟକୁ ବୁଲିବାକୁ ଆସିଥିଲେ।
ହେଲେ ପଦ୍ମିନୀ ଦୋରାଘାଟସ୍ଥିତ ଦୁଇଜଣ ସାଙ୍ଗଙ୍କ ସହ ମିଶି ଆଈଙ୍କ ସହ ଛେଳି ଚରାଇବାକୁ ନିକଟସ୍ଥ ନଦୀ ତଟକୁ ଯାଇଥିଲେ। ସେତିକିବେଳେ ପଦ୍ମିନୀ ଦୁଇ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ହଠାତ୍‌ ପଦ୍ମିନୀ ନଦୀରେ ବୁଡି ଯାଇଥିଲେ। ଏନେଇ ତୁରନ୍ତ ପଦ୍ମିନୀଙ୍କ ସହ ଯାଇଥିବା ଦୁଇ ସାଙ୍ଗ ପଦ୍ମିନୀଙ୍କ ଆଈଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଖବର ପାଇ ପଦ୍ମିନୀଙ୍କ ବାପା ପହଞ୍ଚି ଖୋଜାଖୋଜି କରିଥିଲେ। ଦୀର୍ଘ ୧ ଘଣ୍ଟା ପରେ ପଦ୍ମିନୀଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ସେତିକିବେଳକୁ ପଦ୍ମିନୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Share