Categories: ଜାତୀୟ

ପରୀକ୍ଷା ପାଇଁ ଟଙ୍କା ନ ଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଟପର

ବାଙ୍ଗାଲୋର,୧୩।୧୦: ପରିବାର ଲୋକେ ସ୍କୁଲ ଫି ଦେଇ ନ ପାରିବାରୁ ପରୀକ୍ଷା ବେଳେ ହଲ ଟିକେଟ୍‌ ମିଳିଲା ନାହିଁ। ଏଥିଯୋଗୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ ବର୍ତ୍ତି ଯାଇଥିବା କର୍ନାଟକର ଟୁମାକୁରୁ ଜିଲାର ଜଣେ ଛାତ୍ରୀ ଏସ୍‌ଏସ୍‌ଏଲ୍‌ସି (ଦଶମ ଶ୍ରେଣୀ) ସପ୍ଲିମେଣ୍ଟାରି ପରୀକ୍ଷାରେ ଟପ୍‌ କରିଛନ୍ତି। ସୋମବାର ପରୀକ୍ଷା ଫଳ ଘୋଷଣା ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଛାତ୍ରୀଙ୍କ ନାମ ହେଲା ଗ୍ରୀମେଶ ନାୟକ। ସେ ଜଣେ କୃଷକଙ୍କ ଝିଅ। ଏବେ ସେ କିଛି ଭଲ ପିୟୁ କଲେଜରେ ସାଇନ୍ସ ପଢ଼ିବାକୁ ଆଶା ରଖିଛନ୍ତି।

ଗ୍ରୀମେଶ କହିଛନ୍ତି, ମୁଁ ବର୍ଷ ଆରମ୍ଭରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। କୋଭିଡ୍‌ ମହାମାରୀ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏଣୁ କ୍ଲାସ କରିପାରି ନ ଥିଲି। ମୋ ବଡ଼ ଭଉଣୀ ମୋତେ ମେନ ସବଜେକ୍ଟରେ ସାହାଯ୍ୟ କରିଥିଲେ। ଭାଷା ଗତ ବିଷୟ ଉପରେ ମୁଁ ପରୀକ୍ଷାର ୩ ମାସ ପୂର୍ବରୁ ଆରମ୍ଭ କରିଥିଲି ପ୍ରସ୍ତୁତି। କିନ୍ତୁ ମୋ ନାଁ ସ୍କୁଲରେ ରେଜିଷ୍ଟର ନ ଥିବାରୁ ଭାଙ୍ଗି ପଡ଼ିଥିଲି।

ସେ ଆଲଭା’ସ ଇଂଲିଶ ମିଡିୟମ ହାଇସ୍କୁଲରେ ୯ମ ପର୍ଯ୍ୟନ୍ତ ପଢ଼ିଥିଲେ। କିନ୍ତୁ ଜମା କରିପାରି ନ ଥିଲେ ୧୦ମ ଶ୍ରେଣୀ ପାଇଁ ସ୍କୁଲରେ ଫି’। ଏଣୁ ତାଙ୍କୁ କ୍ଲାସରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ଫଳରେ ତାଙ୍କ ନାଁକୁ ରେଜିଷ୍ଟର କରାଯାଇ ନ ଥିଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ।

Share