Categories: ଜାତୀୟ

ଚଳିତ ନଭେମ୍ବରରେ ଏନ୍‌ଡିଏ ପରୀକ୍ଷା ଦେବେ ଝିଅ…

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ନଭେମ୍ବରରେ ଝିଅମାନେ ଏନ୍‌ଡିଏ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମ୍‌ କୋର୍ଟ ନା ପସନ୍ଦ କରିଛନ୍ତି। ନଭେମ୍ବର ୧୪ରେ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ହେବ। ଏଥିରେ ଝିଅଙ୍କୁ ପରୀକ୍ଷା ଦେବାକୁ କୋର୍ଟ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର ଏନେଇ ୬ ମାସ ସମୟ ମାଗିଥିଲେ। ତେବେ ଏହାକୁ ଶୀର୍ଷକୋର୍ଟ ମନା କରି ଦେଇଛନ୍ତି।

କୋର୍ଟ କହିଛନ୍ତି ଏହା ଦ୍ୱାରା ଦେଶରେ ଝିଅଙ୍କ ମଧ୍ୟରେ ଏକ ନକାରାତ୍ମକ ବାର୍ତ୍ତା ସୃଷ୍ଟି ହେବ। ସେମାନଙ୍କୁ ଆଉ ୬ ମାସ ଅଧିକ ଅପେକ୍ଷା କରିବାକୁ କହିବା ଉଚିତ ହେବ ନାହିଁ। ଆଜି ନୁହେଁ କାଲି ଏଭଳି ନୀତି ଆପଣେଇବା ଠିକ ନୁହେଁ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଚଳିତ ବର୍ଷ ପରୀକ୍ଷା ଅନୁମତି ଦିଆଯାଉ। ଦେଖାଯାଉ କେତେ ଝିଅ ପରୀକ୍ଷା ଦେଉଛନ୍ତି। ପରେ ଅନ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଉଦ୍ଦେଶ୍ୟରେ କହିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ଏନେଇ ଏକ ମାପଦଣ୍ଡ ପ୍ରସ୍ତୁତ କରାଯିବା ପରେ ୨୦୨୨ ମେ’ରେ ଝିଅଙ୍କୁ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ଦେବାର ଅନୁମତି ମିଳିବ।

ମାତ୍ର ବିଚାରପତି ଏସ୍‌.କେ. କାଉଲ୍‌ ଏବଂ ବି.ଆର୍‌. ଗାଭାଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ହେଲେ ଝିଅମାନଙ୍କୁ ଏନ୍‌ଡିଏରେ ପ୍ରବେଶ ପାଇଁ ୨୦୨୩ ଜାନୁୟାରୀ ହୋଇଯିବ। ଫଳରେ ଅଧିକ ବିଳମ୍ବ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ସରକାର ପୂର୍ବରୁ କହିଥିଲେ ଯେ, ଝିଅଙ୍କୁ ଏନ୍‌ଡିଏରେ ପ୍ରବେଶ କରାଇବାର ଅନୁମତି ଦେବାର ଯଥେଷ୍ଟ ଆଗରୁ ଗାଇଏନେକୋଲୋଜିଷ୍ଟ, ସ୍ପୋର୍ଟସ୍‌ ଏବଂ ମେଡ଼ିସିନ୍‌ ବିଶେଷଜ୍ଞ ତଥା କାଉନସେଲର, ନର୍ସିଂ କର୍ମଚାରୀ ଓ ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି।

 

Share