Categories: ଜାତୀୟ

ପ୍ରତିଶୋଧ ପରାୟଣ ପ୍ରେମିକା: କନ୍ୟାର ଚୁଟି କାଟି, ଆଖିରେ ପକାଇଲେ ଫେବିକ୍ୱିକ

ନାଳନ୍ଦା,୨।୧୨: ପ୍ରେମ କି ଜାଣେ ଜାତି, ଧର୍ମ। ପ୍ରେମ କି ଜାଣେ ପାତରଅନ୍ତର। ହେଲେ ପ୍ରେମରେ ଅନ୍ଧ ହୋଇ ଅପରାଧ କରିବା କେତେଦୂର ଯୁକ୍ତିଯୁକ୍ତ। କିଛି ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବିହାରରେ। ଜଣେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ଏକ ଜଘନ୍ୟ ଅପରାଧ ଘଟାଇଛନ୍ତି। ସୂଚନାଯୋଗ୍ୟ, ନାଳନ୍ଦା ଜିଲା ଭାଗନବିଗହା ଥାନା ଅଞ୍ଚଳରେ ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ବାହାଘରକୁ ନେଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ମଙ୍ଗଳବାର ରାତିରେ ପ୍ରେମିକଙ୍କ ଘରେ ପଶି ନବ ବିବାହିତା କନ୍ୟାଙ୍କ ଉପରେ ଆକ୍ରମଣ କରିଥିଲେ। ନବବିବାହିତା କନ୍ୟା ଜଣଙ୍କ ଶୋଇପଡ଼ିଥିବା ବେଳେ ଏହାର ସୁଯୋଗ ଉଠାଇ ତାଙ୍କର ଚୁଟି କାଟିବା ସହ ଆଖିରେ ଫେବିକ୍ୱିକ ପକାଇ ଦେଇଥିଲେ। ସେହି ସମୟରେ କନ୍ୟାଜଣଙ୍କ ଚିତ୍କାର କରିବାରୁ ଘର ଲୋକ ଦୌଡ଼ି ଆସି ପ୍ରେମିକାକୁ କାବୁ କରିନେଇ ନିର୍ଧୁମ ଛେଚିଥିଲେ। ଏହାପରେ ଅଭିଯୁକ୍ତ ଯୁବତୀଙ୍କୁ ପରିବାର ଲୋକେ ପୋଲିସକୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ପୀଡ଼ିତା କନ୍ୟାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସୂଚନା ମିଳିଛି।

Share