Categories: ଜାତୀୟ

ବୟଫ୍ରେଣ୍ଡଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଆସିଲେ ଗର୍ଲଫ୍ରେଣ୍ଡ, ଆଉ ତା’ପରେ ଘଟିଲା ଏମିତି

ରାଞ୍ଚି,୧୯।୪: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ମାନେନା ବାଧା ବନ୍ଧନ। ଖାସ୍‌ ଏଥିପାଇଁ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଚାଲିଆସିଥିଲେ। କିନ୍ତୁ ପ୍ରେମିକ ଖୁସି ହେବା ପରିବର୍ତ୍ତେ ତାଙ୍କୁ ଚାପୁଡା ମାରିବା ସହ ତଳେ ପକାଇ ପିଟାପିଟି କରିଥିଲେ। କେବଳ ଏତିକି ନୁହେଁ ତାଙ୍କଠାରୁ ସବୁ ସୁନାଗହଣା ଏବଂ ପର୍ସରୁ ପ୍ରାୟ ଦେଢଲକ୍ଷ ଟଙ୍କା ନେଇଯାଇଥିଲେ। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ପ୍ରେମିକଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବତୀ ଜଣଙ୍କ ମୁମ୍ବାଇରେ ଚାକିରି କରନ୍ତି। ନିଜ ଟଙ୍କାରେ ସେ ଯୁବକଙ୍କୁ ଏକ ବାଇକ୍‌ ମଧ୍ୟ ଦେଇଥିଲେ। ସମ୍ପୃକ୍ତ ଯୁବତୀ ଜଣଙ୍କ କହିଛନ୍ତି, ୩ ବର୍ଷ ପୂର୍ବେ ଫେସବୁକ୍‌ରୁ ଆମ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପ୍ରେମିକ ମୋତେ ଭେଟିବା ପାଇଁ ମୁମ୍ବାଇ ଆସୁଥିଲେ। କିନ୍ତୁ ହଠାତ୍‌ ସେ ମୋତେ ତାଙ୍କ ଘରକୁ ନେବେ କହି ଝାଡଖଣ୍ଡ ଡାକିଥିଲେ। କିନ୍ତୁ ଘରକୁ ନ ନେଇ ସର୍ବସଧାରଣରେ ପିଟିଥିଲେ ବୋଲି ଯୁବତୀ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୋଲିସ ଏବେ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି।

Share