Categories: ଜାତୀୟ

ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିବା ଘଟଣା: ୫ ମହିଳା ଗିରଫ

ଥିରୁଭାନନ୍ତପୁରମ୍‌,୨୦ା୭: କେରଳର କୋଲାମ ଜିଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ସେଠାରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲି ଟେଷ୍ଟ ଦେବାକୁ କୁହାଯିବା ଘଟଣାରେ ପୋଲିସ ୫ ମହିଳାଙ୍କୁ ଗିରଫ କରିଛି। ଏ ନେଇ ୩ଟି ଅଭିଯୋଗ ଆସିଥିବାବେଳେ କୋଲାମ ଆଞ୍ଚଳିକ ପୋଲିସ ଷ୍ଟେଶନ ଅଧୀନ ଚାଦୟାମଙ୍ଗଳମ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ୫ ମହିଳା ରବିବାର ଉକ୍ତ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ବାହାର ଏଜେନ୍ସିର ହୋଇଥିବାବେଳେ ଆଉ ୨ ଜଣ ସେହି ଅନୁଷ୍ଠାନର ବୋଲି ଡିଆଇଜି ଆର୍‌. ନିଶାନ୍ତିନୀ କହିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲି ପରୀକ୍ଷା ଦେବାକୁ କୁହାଯିବା ମନଗଢ଼ା କାହାଣୀ ବୋଲି ଉକ୍ତ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)କୁ କହିଛନ୍ତି। ଏ ନେଇ କୌଣସି ଅଭିଯୋଗ ଆସି ନ ଥିବା ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

Share