ପ୍ରଦୂଷଣ ବଢାଉଛି ଚିନ୍ତା: ଶୀଘ୍ର ଯୁବତୀ ହେଉଛନ୍ତି କିଶୋରୀ

ନୂଆଦିଲ୍ଲୀ, ୨୭।୧୦: ପ୍ରତିବର୍ଷ ଚିନ୍ତା ବଢାଉଛି ପ୍ରଦୂଷଣ। ବଢୁଥିବା ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଯୋଗୁ ଶିଶୁ ଠାରୁ ବୁଢା ଯାଏଁ ଅସଂଖ୍ୟ ଅଚିହ୍ନା ରୋଗରେ ପୀଡିତ ହେଉଛନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନନୁସାରେ ବାୟୁ ପ୍ରଦୂଷଣ ହେତୁ କିଶୋରୀମାନେ ବୟସ ଠାରୁ ଶୀଘ୍ର ଯୌବନବସ୍ଥା ପ୍ରାପ୍ତ କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ।

ଇମୋରୀ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ଏକ ଅଧ୍ୟୟନ କରିଥିଲେ। ସେଥିରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଥିଲା। ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ଋତୁସ୍ରାବରେ ଅନିୟମିତତା ଦେଖାଯାଉଛି। କିଶୋରୀମାନେ ଯଦି ପିଲାଦିନରୁ ଅଧିକ ପ୍ରଦୂଷଣ ହେଉଥିବା ସ୍ଥାନରେ ରହୁଛନ୍ତି ଅଳ୍ପ ବୟସରେ ସେମାନଙ୍କର ଋତୁସ୍ରାବ ଆରମ୍ଭ ହୋଇଯାଉଛି।।

୫୨୦୦ କିଶୋରୀଙ୍କୁ ନେଇ ଏହି ଅଧ୍ୟୟନରେ କରାଯାଇଥିଲା। ଏହି କିଶୋରୀଙ୍କର ବୟସ ୧୦ରୁ ୧୭ବର୍ଷ ମଧ୍ୟରେ ଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କର ଋତୁସ୍ରାବ ଆରମ୍ଭ ହୋଇଯାଇଥିଲା। ସେମାନଙ୍କର ୧୨ବର୍ଷ ବୟସରୁ ହିଁ ଋତୁସ୍ରାବ ହୋଇଯାଇଥିଲା। ଯେଉଁ କିଶୋରୀମାନଙ୍କର ଜନ୍ମ ପୂର୍ବରୁ କିମ୍ବା ବାଲ୍ୟକାଳରେ ଚାରି ମାଇକ୍ରୋଗ୍ରାମରୁ ଅଧିକ ପିଏମ କଣିକା ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କର ଋତୁସ୍ରାବ ଶୀଘ୍ର ହୋଇଥିଲା।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁ କିଶୋରୀମାନଙ୍କ ଠାରେ ବୟସ ପୂର୍ବରୁ ଯୌବନବସ୍ଥାର ଲକ୍ଷଣ ଦେଖାଯାଏ। ବୟସ ଗଡିଲେ ସେମାନଙ୍କ ଠାରେ ବିଭିନ୍ନ ସ୍ୟାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଥାଏ। ଭବିଷ୍ୟତରେ ସେମାନଙ୍କଠାରେ ହୃଦଘାତ, ମଧୁମେହ ଏବଂ କର୍କଟ ରୋଗ ହେବାର ଆଶଙ୍କା ବଢିପାରେ।

Share