ଆଖି ଆଗରେ ଝିଅର ଭବିଷ୍ୟତ: ଓଟିପି ପାଇଁ ୩୦ କି.ମି. ଚାଲିଲେ ବାପା

ଉଦଳା,୨୮।୨(ସନ୍ତୋଷ କୁମାର ବାଚ୍ଛିନୀ): ଦେଶରେ ୫-ଜି ଟେଲି ସେବା ଉପଲବ୍ଧ ହୋଇଥିବା ବେଳେ ନେଟ୍‌ଓ୍ବର୍କ ନ ଥିବାରୁ ଝିଅର ଭବିଷ୍ୟତ ପାଇଁ ଜଣେ ବ୍ୟକ୍ତି ୩୦ କି.ମି. ଦୂରକୁ ଯାଇ ଓଟିପି ନମ୍ବର ଦେବା ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିିଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ। ସୂଚନା ଅନୁଯାୟୀ, ଉଦଳା ଏନ୍‌ଏସି ୧୦ନଂ. ୱାର୍ଡର ଦୀପକ କୁମାର ପରିଡ଼ାଙ୍କ ଝିଅ ତାସା ବାଲେଶ୍ୱରରେ ରହି ପାଠ ପଢ଼ନ୍ତି। ମଙ୍ଗଳବାର ସେ ବାଲେଶ୍ୱରରେ ନିଟ୍‌ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଆବେଦନ କରୁଥିଲେ। ତାଙ୍କ ଆଧାର କାର୍ଡରେ ବାପା ଦୀପକ ପରିଡାଙ୍କ ମୋବାଇଲ୍‌ ନମ୍ବର ଲିଙ୍କ୍‌ ଥିବାରୁ ଓଟିପି ଦୀପକଙ୍କ ନିକଟକୁ ଆସିଥିଲା। ଉଦଳା ଅଞ୍ଚଳରେ ୨ ଦିନ ହେବ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ ନ ରହିବା ସହିତ କୌଣସି କଲ୍‌ ଯାଇ ଆସିପାରୁନାହିଁ। ଦୀପକ ବ୍ୟବହାର କରୁଥିବା ମୋବାଇଲ୍‌ ନମ୍ବର ବିଏସ୍‌ଏନ୍‌ଏଲ୍‌ର ହୋଇଥିବାରୁ କୌଣସି ଓଟିପି ତାଙ୍କ ନିକଟରେ ପହଞ୍ଚୁ ନ ଥିଲା। ସେପଟେ ପରିବାରର ଅନ୍ୟ ସଦସ୍ୟଙ୍କୁ ଝିଅ ତାସା ଫୋନ କରିବା ପରେ ଦୀପକ ଓଟିପି ବାବଦରେ ଜାଣିବାକୁ ପାଇଥିଲେ। ଏହା ପରେ ଝିଅର ଭବିଷ୍ୟତ ପାଇଁ ଓଟିପି ନମ୍ବର ଦେବାକୁ ଦୀପକ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ନମ୍ବରକୁ ଧରି ଚାଲିଥିଲେ ନେଟ୍‌ୱର୍କ ଅନୁସନ୍ଧାନରେ। ଉଦଳାରୁ ବାହାରି ୩୦ କି.ମି. ଯାଇ ନୀଳଗିରି ପାଖ ସଜନାଗଡ଼ ଛକ ନିକଟରେ ପହଞ୍ଚତ୍ବା ପରେ ନେଟ୍‌ୱର୍କ ପାଇଥିଲେ। ସେଠାରେ ଝିଅକୁ ଫୋନ କରି କଥା ହେବା ସହିତ ଓଟିପି ନମ୍ବର ପ୍ରଦାନ କରିଥିଲେ। ଏହାପରେ ପରେ ତାଙ୍କ ଝିଅ ଆବେଦନ କରିଥିଲେ। ଏହି ବିଭ୍ରାଟ ବାବଦରେ ଉଦଳା ସ୍ଥିିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ କାର୍ଯ୍ୟରତ ଜେଟିଓ ଜଗନ୍ନାଥ ମାଝିଙ୍କୁ ପଚାରିବାରୁ ପାଣି ପାଇପ୍‌ ଲାଇନ ପାଇଁ କେବୁଲ ତାଡ଼ି ଦିଆଯାଉଛି। ଫଳରେ ତାର କଟିଯାଇ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କରେ ବିଭ୍ରାଟ ଘଟୁଛି। ଏନେଇ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି।

Share