Categories: ଜାତୀୟ

ସୈନିକ ସ୍କୁଲ୍‌ରେ ପଢ଼ିବେ ବାଳିକା…

ନୂଆଦିଲ୍ଲୀ,୧୫।୮: ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢ଼ିବେ। ସମ୍ପ୍ରତି ସମସ୍ତ କ୍ଷେତ୍ରରେ ବାଳିକାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ବାଳିକାମାନେ ସୈନିକ ସ୍କୁଲ୍‌ରେ ପଢ଼ିବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ସରକାରଙ୍କ ପକ୍ଷରୁ ବାଳିକା ବିକାଶ ଯୋଜନା ଅନ୍ତର୍ଗତ ବହୁବିଧ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅଢ଼େଇ ବର୍ଷ ପୂର୍ବେ ମିଜୋରାମର ପରୀକ୍ଷା ମୂଳକ ଭାବେ ପ୍ରଥମ ଥର ଲାଗି ସୈନିକ ସ୍କୁଲ୍‌ରେ ବାଳିକାମାନଙ୍କୁ ସାମିଲ୍‌ କରାଯାଇଥିଲା। ଏହା ବେଶ୍‌ ସଫଳ ରହିଛି। ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଦେଶର ସମସ୍ତ ସୈନିକ ସ୍କୁଲ୍‌ରେ ବାଳିକାମାନଙ୍କୁ ପଢ଼ିବାର ସୁଯୋଗ ପ୍ରଦାନ କରାଯିବ। ଏହା ଦେଶ ପାଇଁ ଗର୍ବର ବିଷୟ, ଶିକ୍ଷା ହେଉ କି କ୍ରୀଡା, ବୋର୍ଡ ଫଳାଫଳ କିମ୍ବା ଅଲିମ୍ପିକ ପଦକ, ଦେଶର ଝିଅମାନେ ଆଜି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ନୂଆ ଭାରତରେ ଝିଅମାନେ ସେମାନଙ୍କର ଉପଯୁକ୍ତ ସ୍ଥାନ ନେବାକୁ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share