Categories: ଖେଳ

ଗିରୋ ଡି’ ଇଟାଲିଆ: ମାର୍ଟିନ୍‌ ଜିତିଲେ ୧୭ତମ ଷ୍ଟେଜ୍‌

ସେଗା ଡି ଆଲା(ଇଟାଲି), ୨୭।୫- ଆୟର୍ଲାଣ୍ଡର ଡାନିଏଲ ମାର୍ଟିନ ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ର ବୁଧବାର ଅନୁଷ୍ଠିତ ୧୭ତମ ଷ୍ଟେଜ୍‌ରେ ବିଜୟ ହାସଲ କରିଛନ୍ତି। ଓଭରଅଲ୍‌ ଲିଡର ଇଗାନ ବେର୍ନଲ ରେସ୍‌ରେ ପ୍ରଥମ ଥର ପାଇଁ କ୍ଳାନ୍ତଥିବା ଜଣାପଡ଼ିଥିଲେ। ଗୋଟିଏ ଦିନର ବିଶ୍ରାମ ପରେ କାନାଜେଇଠାରୁ ସେଗା ଡି ଆଲା ପର୍ଯ୍ୟନ୍ତ ୧୯୩ କିଲୋମିଟର ବିଶିଷ୍ଟ ମାଉଣ୍ଟେନ ପର୍ଯ୍ୟାୟ ରେସ୍‌ରେ ଇସ୍ରାଏଲ ଷ୍ଟାର୍ଟ-ଅପ୍‌ ନେଶନ ରାଇଡର ମାର୍ଟିନ ଆଧିପତ୍ୟ ବିସ୍ତାର କରି ୪ ଘଣ୍ଟା ୫୪.୩୮ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଡିସେଉନିଙ୍କ-କ୍ୱିକ୍‌ଷ୍ଟେପ୍‌ ଟିମ୍‌ର ପର୍ତ୍ତୁଗାଲ ରାଇଡର ଜୋଆଓ ଆଲମେଇଡା ୧୩ ସେକେଣ୍ଡ ଅଧିକ ସମୟ ନେଇ ଦ୍ୱିତୀୟ ଏବଂ ଟିମ୍‌ ବାଇକ୍‌ ଏକ୍ସଚେଞ୍ଜର ଗ୍ରେଟବ୍ରିଟେନ ରାଇଡର ସିମନ ୟାଟ୍ସ ତୃତୀୟ ସ୍ଥାନ ହାସଲ କରିଥିଲେ। ଇଟାଲିର ଡିଏଗୋ ଉଲିସି, ଡାମିଆନୋ କାରୁସୋ, କଲମ୍ବିଆର ଡାନିଏଲ ମାର୍ଟିନେଜ ପୋଭେଡା, ଇଗନ ବେର୍ନାଲ, ସ୍ପେନର ଆଣ୍ଟୋନିଓ ପେଦ୍ରେରୋ, ପେଲୋ ବିଲ୍‌ବାଓ ଲୋପେଜ ଏବଂ ନ୍ୟୁଜିଲାଣ୍ଡର ଜର୍ଜ ବେନେଟ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହି ଟପ୍‌-୧୦ ଫିନିଶ୍‌ କରିଥିଲେ। ୧୭ତମ ଷ୍ଟେଜ୍‌ ପରେ ଇନିଅସ ଗ୍ରେନାଡିଅର୍ସ ଟିମ୍‌ର କଲମ୍ବିଆ ରାଇଡର ଇଗାନ ବେର୍ନଲ ଗୋମେଜ ଓଭରଅଲ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ମୋଟ ୭୧ ଘଣ୍ଟା ୩୨.୦୫ ସେକେଣ୍ଡ ସମୟ ନେଇଛନ୍ତି। ବାହାରିନ ଭିକ୍ଟୋରିଅସ ଟିମ୍‌ର ଇଟାଲିଆନ ରାଇଡର ଡାମିଆନୋ କାରୁସୋ ଏବଂ ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌ର ବ୍ରିଟେନ ରାଇଡର ସିମନ ୟାଟ୍ସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୨୧ ଷ୍ଟେଜ ବିଶିଷ୍ଟ ଏହି ରେସ୍‌ ଚଳିତ ମାସ ୩୦ ତାରିଖରେ ଶେଷ ହେବ।

Share