Advertisement

ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୨୦ଲକ୍ଷ ଦିଅ

ରାଉରକେଲା,୨୩।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି ଉଗ୍ରରୂପ ଧାରଣ କରିଛି। ଏଥିରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୧୧ଜଣଙ୍କ ମୃତ୍ୟୁ ହେଲାଣି। ଏହା ସରକାରଙ୍କ ପାରିଲାପଣିଆର ମୁଖା ଖୋଲିଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ରାଉରକେଲା ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ରାଉରକେଲା ସାଙ୍ଗଠନିକ ଜିଲା କଂଗ୍ରେସ ସଭାପତି ରଶ୍ମିରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ନେତା ବିରେନ ସେନାପତି, ବିନୋଦ ଚନ୍ଦ୍ର ରାଉତ, ଏମ୍‌ଡ଼ି ସାକିର ହୁସେନ, ବିଜୟ ସାହୁ, ଇଜାଜ ଅଖତାର, ପ୍ରଶାନ୍ତ ରାୟ, ନିରୁପମା ବଳିଆରସିଂ, ଲତା ନାୟକ, ତୁଳସୀ ନାଗ, ସରୋଜ ଲେଙ୍କା, ରଘୁନାଥ ଦାଶ, ଆୟୂବ ଖାନ୍‌ଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଗତ ୮ତାରିଖରୁ ବିଭିନ୍ନ ଅଞ୍ଚଳରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୪ ତାରିଖ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଥିଲା।

ସେତେବେଳେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରାଗଲାନାହିଁ। ଫଳରେ ଏଥିରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ବହୁ ପ୍ରଚାର ଓ ପ୍ରସାରିତ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଯୋଜନା ସ୍ମାର୍ଟସିଟିରେ ପ୍ରହସନରେ ପରିଣତ ହୋଇଛି। ଅନୁରୂପ ଭାବେ ୱାଟ୍‌କୋ ଓ ସ୍ବେରେଜ ବୋର୍ଡ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁ ଏପରି ପରିସ୍ଥିତି ଉପୁଜିଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ। ୱାଟ୍‌କୋ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପରିବର୍ତ୍ତେ ଝାଡ଼ାବାନ୍ତି, ହଇଜା ଭଳି ମହାମାରୀ ପରିସ୍ଥିତି ସୃଷ୍ଟି କରିଛି। ଛାଡ଼ାବାନ୍ତି ମୃତକଙ୍କ ପରିବାରଙ୍କୁ ଅନୂ୍ୟନ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଯୋଗାଇ ଦେବା ପାଇଁ ଜିଲା କଂଗ୍ରେସ ଦାବି କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share