‘ଶତପ୍ରତିଶତ ପ୍ରସ୍ତୁତି ପ୍ରମାଣପତ୍ର ଦିଅ’

ଭୁବନେଶ୍ୱର, ୨୫ା୩(ବ୍ୟୁରୋ): ରାଜ୍ୟର ପାନୀୟଜଳ ଯୋଗାଣ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ କର୍ତ୍ତୃପକ୍ଷ ପାନୀୟ ଜଳ ଯୋଗାଣ ନେଇ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣପତ୍ର ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ଶୀଘ୍ର ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ଅଧିକ ଗରମ ହେବା ଆଶଙ୍କା ରହିଛି। ତଦନୁଯାୟୀ ପ୍ରସ୍ତୁତି କରିବାକୁ ପଡ଼ିବ। ପାନୀୟ ଜଳ ସମସ୍ୟା ଥିବା ହଟସ୍ପଟ୍‌ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାର ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି। ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କା ବ୍ୟୟରେ ୮୯ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୨୦୨୪ ସୁଦ୍ଧା ସବୁ ଗ୍ରାମୀଣ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସହରାଞ୍ଚଳରେ ଗତ ୩ବର୍ଷ ମଧ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟ ହୋଇଛି। ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣ କରାଯିବାକୁ ଲକ୍ଷ୍ୟ ରହିଛି। ମୁଖ୍ୟ ଶାସନ ସଚିବ ଏବଂ ଜିଲାପାଳ ନିୟମିତ ସମୀକ୍ଷା କରି ପାନୀୟ ଜଳଯୋଗାଣ ବ୍ୟବସ୍ଥାର ତଦାରଖ କରିବେ। କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ କହିଛନ୍ତି, ଜାତୀୟସ୍ତରରେ ୮୧% ଲୋକଙ୍କୁ ବ୍ୟକ୍ତି ପିଛା ଦୈନିକ ୪୦ ଲିଟର ପାଣି ଯୋଗାଇ ଦିଆଯାଉଛି। ଓଡ଼ିଶାରେ ୧୦୦% ଲୋକଙ୍କୁ ବ୍ୟକ୍ତି ପିଛା ଦୈନିକ ୪୦ ଲିଟର ପାଣି ଦିଆଯାଉଛି। ଗ୍ରାମାଞ୍ଚଳ ଜନସଂଖ୍ୟାର ୪୭.୬୫% ଜନସାଧାରଣ, ୫୪% ଗଁା ଏବଂ ୨୭% ଜନବସତିକୁ ପାଇପ ପାଣି ସୁବିଧା ଦିଆଯାଇଛି। ଖରାଦିନ ଲାଗି ସବୁ ଟ୍ୟୁବଓ୍ବେଲ ଯାଞ୍ଚ କରାଯାଉଛି। ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଣ ହେଉଥିବା ସେ କହିଛନ୍ତି। ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଞ୍ଚାଳନ କରିଥିଲେ।

Share