କୋରାପୁଟ,୨୪।୭(ଅମିତାଭ ବେହେରା): ମଣିପୁରର କୁକି ଆଦିବାସୀ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ କୋରାପୁଟ ଜିଲା ଆଦିବାସୀ ସଂଘ ପକ୍ଷରୁ ସୋମବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି।
ଜିଲା ଆଦିବାସୀ ସଂଘ ସଭାପତି ଶିବ ମୁଦୁଲିଙ୍କ ନେତୃତ୍ୱରେ ଜିଲା କୁୱି ସମାଜ ସମ୍ପାଦକ ବିଙ୍ଗେୟା ସାଉନ୍ତା, ଜିଲା ଆଦିବାସୀ ସଂଘ ଉପଦେଷ୍ଟା ଦାମଦର ଜାନୀ, ଜିଲା ସରପଞ୍ଚ ମହାସଂଘ ସଭାପତି ଲବ ମୁଦୁଲି, ବୈପାରୀଗୁଡ଼ା ସରପଞ୍ଚ ସ୍ବରାଜମଣୀ ନାୟକ, ମାଥାଲପୁଟ ସରପଞ୍ଚ ରଞ୍ଜିତା ଗୁରୁମାଇ, ଜିଲା ପରଜା ସମାଜର ସନା ଜାନୀଙ୍କ ସମେତ ଆଦିବାସୀ ସଂଘର ପିଲିବା ସିରିକା, ଆତ୍ର ଜାନୀ, ଦିନା ହିକକା, ଅର୍ଜୁନ ଗାଦବା ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝିଙ୍କୁ ପ୍ରଦାନ କରିଥିଲେ। ମଣୀପୁରର କୁକି ଆଦିବାସୀ ମହିଳାଙ୍କ ସହ ଜଘନ୍ୟ ଅପରାଧ ଘଟାଇଥିବା ସମସ୍ତ ଅପରାଧିଙ୍କୁ ଚିହ୍ନଟ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାକୁ ଜିଲା ଆଦିବାସୀ ମହାସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରାଯାଇଛି।