ଦ୍ୱିତୀୟ ଡୋଜ୍‌ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ

ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ରୀୟ କୋଟାରୁ ମିଳୁଥିବା ଟିକାକୁ ୭୦:୩୦ ଅନୁପାତରେ ଦ୍ୱିତୀୟ ଓ ପ୍ରଥମ ଡୋଜ୍‌ ଟିକା ଦେବା ପାଇଁ କହିଛନ୍ତି।
ଦେଶରେ ଏବେ ଟିକା ନିଅଣ୍ଟ ଦେଖାଦେଇଛି। ଟିକା ଯୋଗାଣ ହୋଇପାରୁ ନ ଥିବାରୁ ଅନେକ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ହିତାଧିକାରୀଙ୍କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ସୁପାରିସ ଅନୁସାରେ ଟିକାକରଣ ନିର୍ଘଣ୍ଟ ବଜାୟ ରଖିବାକୁ କୁହାଯାଇଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କୋଭାକ୍ସିନ ପ୍ରଥମ ଡୋଜ୍‌ ଟିକା ନେବାର ୪-୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନିଆଯିବ। ସେହିପରି କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ୪ରୁ ୮ ସପ୍ତାହ ବ୍ୟବଧାନ ରହିବ। ମେ’ ୧ରେ ଆରମ୍ଭ ହୋଇଥିବା ନୂଆ ଭାକ୍ସିନ ନୀତି ଅନୁଯାୟୀ ରାଜ୍ୟଗୁଡ଼ିକୁ ପଠାଯାଇଥିବା ଭାକ୍ସିନକୁ କେବଳ ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ। ୧୮ରୁ ୪୪ ବର୍ଷୀୟ ନାଗରିକ ରାଜ୍ୟର ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରୁ ପୃଥକ୍‌ ଭାବେ ଟିକା ନେବେ। ଅନେକ ସ୍ଥାନରେ ପ୍ରଥମ ଡୋଜ୍‌ ନେଇଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଦ୍ୱିତୀୟ ଡୋଜ୍‌ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ରିପୋର୍ଟ ଆସୁଛି। ତେଣୁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଟିକାକରଣର ନିୟମିତ ସମୀକ୍ଷା କରିବାକୁ ମଧ୍ୟ ଏଥିରେ କୁହାଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟାନୁସାରେ ଦେଶରେ ମୋଟ ୧୬.୫୦ କୋଟି ଡୋଜ୍‌ ଟିକା ଦିଆଯାଇଛି। ଏଥିରୁ ୧୩.୨୧ କୋଟି ପ୍ରଥମ ଓ ୩.୨୯ କୋଟି ଦ୍ୱିତୀୟ ଡୋଜ୍‌। ଶୁକ୍ରବାର ସକାଳ ସୁଦ୍ଧା ୧୮ରୁ ୪୪ ବର୍ଷୀୟ ୧୧.୮୧ ଲକ୍ଷ ନାଗରିକ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ତେବେ ଏହା କର୍ପୋରେଟ ହସ୍ପିଟାଲ ଜରିଆରେ କିମ୍ବା ରାଜ୍ୟ କୋଟାରୁ ଦିଆଯାଇଛି। କେନ୍ଦ୍ର ସରକାର ୧୭.୩୫ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ମାଗଣାରେ ରାଜ୍ୟଗୁଡ଼ିକୁ ପ୍ରଦାନ କରିଛନ୍ତି। ରାଜ୍ୟଗୁଡ଼ିକ ପାଖରେ ଏବେ ୯୦ ଲକ୍ଷରୁ ଅଧିକ ଡୋଜ୍‌ ଗଚ୍ଛିତ ରହିଛି। ଏହାବାଦ୍‌ ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକୁ ଆଉ ୧୦ ଲକ୍ଷ ଡୋଜ୍‌ ଟିକା ପହଞ୍ଚତ୍ବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share