Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ୩ ମାସରେ ରାଶନ କାର୍ଡ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୪: ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଶନ କାର୍ଡ ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଉ ୩ ମାସ ସମୟ ଦେଇଛନ୍ତି। ସରକାରଙ୍କ ଲାଭଦାୟକ ଯୋଜନାର ସୁଫଳ ସେମାନଙ୍କୁ ମିଳିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ଅସାନୁଦ୍ଦିନ ଅମନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ପ୍ରବାସୀ ଶ୍ରମିକମାନେ ଯେପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ସୁବିଧା ହାସଲ କରିପାରିବେ, ସେଥିପାଇଁ ଏହାର ବ୍ୟାପକ ପ୍ରଚାର କରାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏଫ୍‌ଏସ୍‌ଏର ରାଶନ କୋଟା ନିର୍ବିଶେଷରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରାଶନ ଯୋଗାଇଦେବା ଲାଗି ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକ୍କରଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି। ଏନ୍‌ଏଫ୍‌ଏସ୍‌ଏରେ ଜନସଂଖ୍ୟା ଅନୁପାତ ଉପଯୁକ୍ତ ଭାବେ ଦର୍ଶାଯାଇ ନ ଥିବା କାରଣ ପାଇଁ ପ୍ରବାସୀ ଶ୍ରମିକମାନଙ୍କୁ ଆଧାର କାର୍ଡରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ଗତ ୧୭ ତାରଖରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଥିଲେ। ଏକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରତ୍ୟେକଙ୍କ ପାଖରେ ସୁବିଧା ପହଞ୍ଚାଇବା ସରକାରଙ୍କ କର୍ତ୍ତବ୍ୟ ବୋଲି ଅଦାଲତ ଟିପ୍ପଣୀ ଦେଇଥିଲେ।

Share