କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ପ୍ରତିବାଦରେ ଶୁକ୍ରବାର ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଭାପତି ମହେଶର ସାହୁଙ୍କ ନେତୃତ୍ୟରେ କେନ୍ଦୁଝର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଚୋରା କାରବାରରେ ସରକାରୀ ଦଳର ନେତା ଓ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ସମ୍ପୃକ୍ତ ଥିବାରୁ ବାଲି ମାଫିଆମାନେ ଖୁଲମଖୁଲା ଲିଜ୍ ମିଳି ନ ଥିବା ଅଞ୍ଚଳରୁ ବେଆଇନ ଭାବେ ଚୋରା ବାଲି ଚାଲାଣ କରୁଥିବା ନଦୀ ସୁରକ୍ଷା ସମିତି ଜିଲା ସଂଯୋଜକ ସୁବ୍ରତ କୁମାର ମହାନ୍ତି ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏହି ବେଆଇନ ଚୋରା ବାଲି କାରବାର ଯୋଗୁ କେନ୍ଦୁଝର ଜିଲା ବାର୍ଷିକ ୫ଶହ କୋଟି ଟଙ୍କାର ରାଜସ୍ବ ହରାଉଛି। ଜିିଲାର ବୈତରଣୀ ,କୁଶେଇ, ଫାପୁଡିଆ, ମୁଶଳ ନଦୀ, ମୁହାଣନଦୀ, ସମାକୋଇ ନଦୀ ଓ ଅରଡେଇ ନଦୀ ଘାଟିର ବିନା ନିଲାମ ଅଞ୍ଚଳରୁ ଦୈନିକ ମେଶିନ ଦ୍ୱାରା ବାଲି ଉତ୍ତୋଲନ କରିି ହାଇଓ୍ବା, ଟ୍ରକ ଓ ଟ୍ରାକ୍ଟରରେ ବେଆଇନ ଚାଲାଣ ହେଉଥିଲେ ମଧ୍ୟ ଜିଲା ପ୍ରଶାସନର ନିଦ ଭାଙ୍ଗୁନାହିଁ। ତେବେ ଜିଲାପାଳ ତୁରନ୍ତ ଚୋରା ବାଲି କାରବାର ବନ୍ଦ ନ ହେଲେ ଆଗାମୀ ଦିନରେ ଭାଜପା ନଦୀ ସୁରକ୍ଷା ସମିତି ତରଫରୁ ଜିଲାର ସମସ୍ତ ତହସିଲ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଭାପତି ମହେଶର ସାହୁ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଜପା ନଦୀ ସୁରକ୍ଷା ସମିତି ଜିଲା ସଂଯୋଜକ ସୁବ୍ରତ କୁମାର ମହାନ୍ତି, ଜିଲା ପରିଷଦ ସଦସ୍ୟା ଅସିମା ମିଶ୍ର, ଅଖିଳ ଚନ୍ଦ୍ର ନାୟକ, କମଳାକାନ୍ତ ଦାଶ, ସାବିତ୍ରୀ ବିଶ୍ବାଲ, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ, ସୂର୍ଯ୍ୟ ପ୍ରକାଶ ସାହୁ, ବିଶ୍ୱଜିତ୍ ତ୍ରିପାଠୀ, ପ୍ରଭୃତିଙ୍କ ସମେତ ବହୁ ନେତୃବୃନ୍ଦଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।