୬୦ ପିଲାଙ୍କୁ ମାଗଣାରେ ଦେଉଛନ୍ତି ସଙ୍ଗୀତ ଶିକ୍ଷା : ଦୃଷ୍ଟିବାଧିତ ଗୋବିନ୍ଦଙ୍କ ସାଧନା

କୋରାପୁଟ,୧ା୧(ସ୍ବ.ପ୍ର.): ସେ ଦୃଷ୍ଟିବାଧିତ। ମାତ୍ର ସଙ୍ଗୀତ ପ୍ରତି ରହିଛି ଅସୀମ ଆଗ୍ରହ। ୬୦ ପିଲାଙ୍କୁ ଦେଉଛନ୍ତି ମାଗଣାରେ ସଙ୍ଗୀତ ଶିକ୍ଷା। ସେ ହେଉଛନ୍ତି କୋରାପୁଟ ପୌର ପରିଷଦର ଢ଼େପସାହିରେ ରହୁଥିବା ଗୋବିନ୍ଦ ନାଇଡୁ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିଲେ ଗୋବିନ୍ଦ। ପିଲାବେଳୁ ଗିଟାର, କ୍ୟାସିଓ ବଜାଇ ଓଡ଼ିଆ ଗୀତ ଗାଉଛନ୍ତି ଏବଂ ଶିକ୍ଷା ଦେଉଛନ୍ତି ସେ। ଦୃଷ୍ଟିହୀନ ବିଦ୍ୟାଳୟରେ ୨୦୦୩ ରେ ଶିକ୍ଷା ଶେଷ ପରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ହେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଗୋବିନ୍ଦ। ପରେ ୨୦୧୫ରେ ନିଜେ ନିଜକୁ ପ୍ରତିଷ୍ଠା କରିବା ପାଇଁ ପୋଲିସ ମେଲୋଡିରେ ନିଜ କଳା ପରିବେଷଣ କରିଥିଲେ। ପରେ ସେ ଏକ ଟିଭି କାର୍ଯ୍ୟକ୍ରମରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ତେବେ ପିଲାମାନଙ୍କୁ ମାଗଣାରେ ସଙ୍ଗୀତ ଶିକ୍ଷା ଦେଉଥିବାରୁ ତାଙ୍କୁ ଆତ୍ମ ସନ୍ତୋଷ ମିଳୁଛି ବୋଲି କହନ୍ତି ଗୋବିନ୍ଦ।

Share