Categories: ଜାତୀୟ

ନିର୍ବାଚନ ପ୍ରଚାରରେ ଉପହାର ଦେବା ଅବା ପ୍ରତିଶ୍ରୁତି ଲାଞ୍ଚ ସହ ସମାନ, ସୁପ୍ରିମ୍‌କୋର୍ଟରେ ପିଟିଶନ୍‌…

ନୂଆଦିଲ୍ଲୀ, ୨୨।୧ : ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଉପହାର ଦେବା ଅବା ନାନା ପ୍ରକାର ଲୋଭନୀୟ ପ୍ରତିଶ୍ରତି ଲାଞ୍ଚ ସହିତ ସମାନ। ଏନେଇ ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ୍‌ ଦାଖଲ କରାଯାଇଛି। ଏହାକୁ ଲାଞ୍ଚ ଭାବେ ଘୋଷଣା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ପିଟିଶନ୍‌ରେ କେନ୍ଦ୍ର ସରକାର ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏଭଳି କରୁଥିବା ରାଜନୈତିକ ଦଳର ମାନ୍ୟତା ରଦ୍ଦ କରିବାକୁ ପିଟିଶନ୍‌ରେ କୁହାଯାଇଛି। ଏହାଦ୍ୱାରା ସ୍ବତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିଥାଏ ବୋଲି ପିଟିଶନ୍‌ରେ ଉଲ୍ଲେଖ କରାଯାଇଛି।

ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଏହି ପିଟିଶନ୍‌ ଦାଖଲ କରାଯାଇଛି। ଏଭଳି କାର୍ଯ୍ୟକୁ ଅନୁଚ୍ଛେଦ-୧୪ର ଉଲ୍ଲଂଘନ ହେଉଥିବା ସେ ଦର୍ଶାଇଛନ୍ତି। ଆଇପିସି ଧାରା ୧୭୧- ବି ଏବଂ ସି ଅନ୍ତର୍ଗତ ନିର୍ବାଚନ ପ୍ରଚାରରେ କରାଯାଉଥିବା ଏଭଳି ପ୍ରୟାସକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇ ବୋଲି ସେ ଦାବି କରିଛନ୍ତି।

ନିର୍ବାଚନ ଆୟୋଗ ଏନେଇ ରାଜନୈତିକ ଦଳଗୁଡ଼ିକ ପାଇଁ ମାନଦଣ୍ଡ ନିଶ୍ଚିତ କରିବାକୁ ପିଟିଶନ୍‌ରେ ଅନୁରୋଧ କରାଯାଇଛି। ଏଭଳି କାର୍ଯ୍ୟ ଜାରି ରଖିଥିବା ରାଜନୈତିକ ଦଳଗୁଡ଼ିର ନିର୍ବାଚନୀ ଚିହ୍ନ ସିଜ୍‌ କରିବାକୁ ଏଥିରେ ଦର୍ଶାଯାଇଛି। ସେହିପରି ଶୀର୍ଷକୋର୍ଟ କେନ୍ଦ୍ର ସରକାରଙ୍କୁ ଏନେଇ ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ ପିଟିଶନ୍‌ରେ କୁହାଯାଇଛି।

Share