Categories: ବାଣିଜ୍ୟ

ଅଧିକ ରିଟର୍ନ ଦେବା ଆଳ; ଠକି ନେଇଗଲେ ନିବେଶକଙ୍କ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୨।୯ : ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କୁ ୪୨ ହଜାର କୋଟି ଟଙ୍କା ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ‘ବାଇକ ବୁଟ୍‌’ ନାମରେ ଚିଟ୍‌ ଫଣ୍ଡ ସ୍କିମ୍‌ ଦ୍ୱାରା ଏଭଳି ଠକେଇ ହୋଇଥିବା ଜଣାପଡିଛି। ଏହି ମାମଲା ସହ ଜଡିତ ୨ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗାରଭିତ ଇନୋଭେଟିଭ୍‌ ପ୍ରମୋଟର୍ସ ଲିମିଟେଡ ନାମକ କମ୍ପାନୀର ସିଏମ୍‌ଡି ସଞ୍ଚୟ ଭାତି ଏବଂ ନିର୍ଦ୍ଦେଶକ ରାଜେଶ ଭରଦ୍ୱାଜଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ୬୨,୦୦୦ ଟଙ୍କା ନିବେଶ ଦ୍ୱାରା ମାସିକ ନିଶ୍ଚିତ ୯,୫୦୦ ଟଙ୍କା ରିଟର୍ନ ମିଳିବ ବୋଲି ପ୍ରଥମେ ପ୍ରଲୋଭନ ଦେଖାଯାଇଥିଲା। ଏହି ସ୍କିମ୍‌ରେ ଅନେକ ଲୋକ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ନିବେଶ କରିଛନ୍ତି। ଗତ ବର୍ଷ ଜାନୁୟାରୀରେ କମ୍ପାନୀ ଏକ ଇ-ବାଇକ ସ୍କିମ ଲଞ୍ଚ କରିଥିଲା। ମୋଟର ସାଇକେଲ ପିଛା ୧.୨୪ ଲକ୍ଷ ନିବେଶ ଉପରେ ମାସିକ ଗୋଟିଏ ବର୍ଷ ଯାଏ ୧୭ ହଜାର ରିଟର୍ନ ମିଳିବ ବୋଲି କୁହାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କ ଭରସା ଜିତିବା ଲାଗି ପ୍ରତିଶ୍ରୁତି ମୁତାବକ ଅର୍ଥ ମିଳୁଥିଲା। ପରେ ରିଟର୍ନ ପ୍ରଦାନରେ ଖିଲାପ ହେବା ସହ କମ୍ପାନୀ କେଉଁ ଆଡେ ଗାଏବ ହୋଇଯାଇଥିଲା। ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡିକରେ ଏ ନେଇ ଅନେକ ସଂଖ୍ୟକ ଅଭିଯୋଗ ଆସିଛି। ଦିଲ୍ଲୀରେ ପ୍ରାୟ ୮ ହଜାର ଅଭିଯୋଗ ପୋଲିସର ହସ୍ତଗତ ହୋଇଥିବା ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମାମଲା ଉପରେ ଇଡିର ଲକ୍ଷ୍ମୌ ଜୋନ କାର୍ଯ୍ୟାଳୟ ମଧ୍ୟ ତଦନ୍ତ ଜାରି ରଖିଛି।

Share