ମହାକାଳପଡ଼ା, ୯।୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ)ଧାର୍ମିକ ମାସ ହେଉଛି କାର୍ତ୍ତିକ। ଏହି ମାସରେ ଦାନ ଧର୍ମ କଲେ ପୁଣ୍ୟ ଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଦିନ ଥିଲା ଧର୍ମୀୟ କାର୍ତ୍ତିକ ମାସ ଆରମ୍ଭରୁ ଗାଁ ଗଣ୍ଡାରେ ପ୍ରାଚୀନ ସଂସ୍କୃତି ଓ ଲୋକ କଳା କେନ୍ଦରାର ସ୍ବର ବେଶ୍ ମନ ମୋହୁଥିଲା। ଭଜୁ କି ନା ରାମ ନାମ ରେ କୁମର… ଗୀତରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। ଘର ଅଗଣାରେ କେନ୍ଦରାର ଗୀତ କାନରେ ବାଜିବା ମାତ୍ରେ ଘରର ବୋହୂ ଶ୍ରଦ୍ଧାର ସହ ଚାଉଳ ମୁଠେ, ଟଙ୍କା ପଇସା, ପନିପରିବା ଯିଏ ଯାହା ପାଇଲା ଯୋଗୀ ପୁଅଙ୍କ ଲାଉ ଥାଳରେ ଅଜାଡ଼ି ଦେଉଥିଲେ। ହେଲେ ଏବେ ଆଧୁନିକ ଚାକଚକ୍ୟ ସମାଜରେ ଲୋକକଳା ବିଲୁପ୍ତ ହେବାକୁ ବସିଲାଣି। ଆଉ ଗାଁ ମୁଣ୍ଡରେ ଖରା ବେଳେ କେନ୍ଦରାର ଧୂନ ଆଉ ବଜାଉ ନାହିଁ ଯୋଗୀ ପୁଅ। ବୁଡିବାକୁ ବସିଲାଣି କୌଳିକ ବୃତ୍ତି। କେନ୍ଦ୍ରାପଡା ଅଞ୍ଚଳରୁ ଯୋଗୀ ଶଙ୍କର ନାଥ (୬୫) ମହାକାଳପଡ଼ା ଉପାନ୍ତ ଅଞ୍ଚଳର ଗାଁକୁ ଗାଁ ବୁଲି ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ଭଜୁ କି ନା ରାମ ଗୀତକୁ କେନ୍ଦରାର ସ୍ବର ତାଳେ ତାଳେ ଈଶ୍ୱରଙ୍କ କଥାମୃତ ଲୋକମାନଙ୍କୁ ଶୁଣାଇ ଥାନ୍ତି। ଏହି ଗୀତକୁ କାନ ଡେରି ଶୁଣିବା ପାଇଁ ଶିଶୁଠାରୁ ଆବାଳ ବୃଦ୍ଧ ବନିତା ଧାଇଁ ଆସନ୍ତି। ସମୟ ବଦଳିବା ସହିତ ଏହି କୌଳିକ ବୃତ୍ତି ଆମ ପିଢ଼ି ପରେ ଲୋକମାନେ ଶୁଣିବା ପାଇଁ ପାଇବେ ନାହିଁ ବୋଲି ଶଙ୍କର କହିଛନ୍ତି। ଶଙ୍କର କହିବା କଥା, ପିଲା ବେଳରୁ ବାପା ଜେଜେ ବାପାଙ୍କଠାରୁ ଶିକ୍ଷା ଗ୍ରହଣ କରିଛି। ଏହି ବାଦ୍ୟ ସୃଷ୍ଟି ଆରମ୍ଭରୁ ଅଛି। ଏହି ବାଦ୍ୟରୁ ଅନୁକରଣ କରାଯାଇ ଅନ୍ୟ ସବୁ ବାଦ୍ୟ ସୃଷ୍ଟି କରାଯାଇଛି। ଦିନ ଥିଲା ରାଜା ରାଜୁଡ଼ାଙ୍କ ରାଜସଭାରେ କେନ୍ଦରା ଗୀତକୁ ପ୍ରାଧାନ୍ୟ ଦିଆଯାଉଥିଲା। ବିଶେଷକରି ମହାରାଣୀଙ୍କ ମାନ ଭଞ୍ଜନ ପାଇଁ ସେ ସମୟର ସଙ୍ଗୀତ ଗୁଡିକୁ କେନ୍ଦରା ମାଧ୍ୟମରେ ସ୍ବର କରାଯାଇ ଅତି ଚମତ୍କାର ଭାବେ ରାଜ ସଭାରେ ଉପସ୍ଥାପନ କରାଯାଉଥିଲା। ରାଜା ଖୁସି ବ୍ୟକ୍ତ ହୋଇ ଆମ କେନ୍ଦରା ବାଦକମାନଙ୍କୁ ପୁରସ୍କାର ପ୍ରଦାନ କରୁଥିଲେ। ସମୟ ବଦଳିବା ସହିତ ଆଧୁନିକ ଯୁଗରେ କେନ୍ଦରା ତା’ର ସତ୍ତା ହରାଇ ନାହିଁ। ଯଦି ସରକାର ଏହି କେନ୍ଦରା ବାଦକମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଲେ ଏହା ବଞ୍ଚତ୍ ପାରନ୍ତା ବୋଲି ସେ କହିଛନ୍ତି।