ଖାଦ୍ୟରେ ତ୍ରିରଙ୍ଗା

ଭୁବନେଶ୍ୱର, ୧୫। ୮ (ବ୍ୟୁରୋ): ସ୍ବାଧୀନତା ଦିବସ ପାଇଁ ଚାରିଆଡ଼େ ଦେଶାତ୍ମବୋଧର ମହକ ଛୁଟିବାରେ ଲାଗିଛି। ସ୍ବାଧୀନତା ଦିବସକୁ କିପରି ସ୍ମରଣୀୟ କରାଯାଇ ପାରିବ ପ୍ରତିଟି ଭାରତବାସୀ ସେଥିପାଇଁ ବ୍ୟଗ୍ର। ଏସବୁ ଭିତରେ ଭୁବନେଶ୍ୱରର ପ୍ରୀତିଶା ଦାଶଙ୍କ ସ୍ବତନ୍ତ୍ର ହାତରନ୍ଧା ଖାଦ୍ୟପଦାର୍ଥରେ ଦେଖିବାକୁ ମିଳିଛି ତ୍ରିରଙ୍ଗାର ଝଲକ। ବ୍ଲଗ୍‌ ରାଇଟର୍‌ ପୀତିଶା ଓଡ଼ିଶାର ପ୍ରତିଟି ପ୍ରସିଦ୍ଧ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏଥିସହ ଖାଦ୍ୟରେ ବ୍ୟବହୃତ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ମଧ୍ୟ ଲେଖି ପୋଷ୍ଟ କରିଥା’ନ୍ତି। ସ୍ବାଧୀନତା ଦିବସ ଅବସରରେ ସେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ପଲଉ, ଦୋସା, ବରଫି ଭଳି ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରିଛନ୍ତି। ଏହି ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ ପାଇଁ ବାର୍ତ୍ତା ଦେବାକୁ ଯାଇ ସେ ଏପରି ପ୍ରୟାସ କରିଛନ୍ତି। ତେବେ ଖାଦ୍ୟ ପ୍ରସ୍ତୁତି ପାଇଁ ସେ କୌଣସି ରଙ୍ଗର ବ୍ୟବହାର କରିନାହାନ୍ତି। ନାରଙ୍ଗୀ ରଙ୍ଗର ପଲଉ ପ୍ରସ୍ତୁତି ପାଇଁ ସେ ଟମାଟୋ ବ୍ୟବହାର କରିଥିବାବେଳେ ସବୁଜରଙ୍ଗର ପଲଉ ପ୍ରସ୍ତୁତିରେ ଧନିଆ, ପୋଦିନା ଓ ରସୁଣ ବ୍ୟବହାର କରିଥିବା କହିଛନ୍ତି। ସେହିପରି ଅଶୋକ ଚକ୍ର ପାଇଁ ଲବଙ୍ଗର ବ୍ୟବହାର କରିଛନ୍ତି। ଦୋସାରେ ସୋଦୁଅର ଉପରି ଭାଗକୁ ଗାଜର କୋରାରେ ରଙ୍ଗାଇ ଥିବାବେଳେ ନିମ୍ନଭାଗକୁ ଧନିଆ, ପୋଦିନା ଓ କଞ୍ଚା ଲଙ୍କାରେ ରଙ୍ଗୀନ କରିଛନ୍ତି। ମାଟି ମା’ ଠାରୁ ଆମେ ଖାଦ୍ୟ ପାଉଥିବାବେଳେ ମାଟି ମା’ ଉଦ୍ଦେଶ୍ୟରେ ସେ ଏହି ସବୁ ଭୋଜନ ପ୍ରସ୍ତୁତ କରିଥିବା କହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ସମସ୍ତେ ନିଜ ଘରେ ଏପରି କିଛି କିଛି ଖାଦ୍ୟ ପ୍ରସ୍ତୁତ କରି ପ୍ରିୟଜନଙ୍କୁ ପରଷିବା ଦ୍ୱାରା ସମସ୍ତଙ୍କ ମନରେ ଦେଶପ୍ରୀତି ଜାଗ୍ରତ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Share