Categories: ଜାତୀୟ

ପାରମ୍ପରିକ ଔଷଧର ଗ୍ଲୋବାଲ ସେଣ୍ଟର ଗୁଜରାଟରେ…

ଅହମଦାବାଦ,୨୬।୩ : ଗୁଜରାଟକୁ ବିଶ୍ୱ ମାନଚିତ୍ରରେ ଉଜ୍ଜ୍ୱଳ କରିବା ପାଇଁ ସରକାର ଆଉ ଏକ ଉପହାର ଦେବାକୁ ଯାଉଛନ୍ତି । ପାରମ୍ପରିକ ଔଷଧ ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ବିଶ୍ୱସ୍ତରୀୟ କେନ୍ଦ୍ର ରାଜ୍ୟର ଜାମନଗରରେ ପ୍ରତିଷ୍ଠା ହେବ। ଏଥିପାଇଁ ଜେନେଭାରେ ଭାରତର ଆୟୁଷ ବିଭାଗ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମଧ୍ୟରେ ଶନିବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଭାରତ ସରକାରଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଛି।

୨୧ ଏପ୍ରିଲ ୨୦୨୨ ରେ ଏହାର ଉଦଘାଟନ କରାଯିବ। ଏହି କେନ୍ଦ୍ର ସ୍ଥାପନ ପାଇଁ ଭାରତ ୨୫ କୋଟି ଡଲାର ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ସେ କହିଛନ୍ତି ଯେ ଗୁଜୁରାଟରେ ନିର୍ମିତ ଡବ୍ଲ୍ୟୁଏଚ୍‌ଓର ନୂତନ ବିଶ୍ୱସ୍ତରୀୟ କେନ୍ଦ୍ର ବିଶ୍ୱକୁ ଉନ୍ନତ ତଥା ସୁଲଭ ଚିକିତ୍ସା ସମାଧାନ ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଏହି ନୂତନ ବିଶ୍ୱସ୍ତରୀୟ କେନ୍ଦ୍ର ଆଧୁନିକ ଔଷଧ ଏବଂ ଚିକିତ୍ସା ପ୍ରଣାଳୀର ମାନକକରଣରେ ସାହାଯ୍ୟ କରିବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଘେବ୍ରେଏସେସ୍‌ କହିଛନ୍ତି ଯେ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପାରମ୍ପରିକ ଔଷଧ ରୋଗର ଚିକିତ୍ସାରେ ଏକ ପ୍ରଥମ ପଦକ୍ଷେପ। ଏପରି ପରିସ୍ଥିତିରେ, ପାରମ୍ପରିକ ଔଷଧକୁ ବୈଜ୍ଞାନିକ ଭିତ୍ତିରେ ଅଧିକ ପ୍ରଭାବଶାଳୀ କରିବା ଆମର ପ୍ରୟାସ ହେବ। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବିଶ୍ୱର ୮୦ ପ୍ରତିଶତ ଲୋକ ପାରମ୍ପରିକ ଔଷଧ ବ୍ୟବହାର କରନ୍ତି। ଏହା ସହିତ, ଜାତିସଂଘର ୧୯୪ ସଦସ୍ୟ ଦେଶ ମଧ୍ୟରୁ ୧୭୦ ଦେଶ ସେମାନଙ୍କ ଦ୍ୱାରା ବ୍ୟବହୃତ ପାରମ୍ପରିକ ଔଷଧ ଏବଂ ଚିକିତ୍ସା ପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବାରେ ଡବ୍ଲ୍ୟୁଏଚ୍‌ଓର ସାହାଯ୍ୟ ଲୋଡ଼ିଥିଲେ। ଆଧୁନିକ ଔଷଧରେ ବ୍ୟବହୃତ ୪୦ ପ୍ରତିଶତ ଉପାଦାନ ପ୍ରାକୃତିକ ଦ୍ରବ୍ୟରୁ ମିଳିଥାଏ।

 

Share