ପୃଥିବୀରେ ରାସାୟନିକ ସାର ସଙ୍କଟ…

ଓ୍ବାଶିଂଟନ,୧୨।୧୧ : କମ ଖାଦ୍ୟ ଉତ୍ପାଦନର ଭୟ ଏବେ ଏସିଆ ଏବଂ ଆଫ୍ରିକାର ଏକ ବଡ଼ ଅଂଶରେ ଦେଖାଦେଇଛି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି ରାସାୟନିକ ସାରର ଦ୍ରୁତ ଗତିରେ ଜାରି ରହିଥିବା ମୂଲ୍ୟ ବୃଦ୍ଧି। ଯାହା ହେତୁ ଚାଷୀଙ୍କ ପାଇଁ ରାସାୟନିକ ସାର ପାଇବା କଷ୍ଟକର ହୋଇପଡିଛି। ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ବିଶ୍ୱରେ ପୂର୍ବରୁ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ କମ ଫସଲ ଉତ୍ପାଦନ ଯୋଗୁ ଅଧିକ ଗୁରୁତର ରୂପ ନେଇପାରେ।

ରୁଷିଆ ୟୁକ୍ରେନରେ ସୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଥିଲେ। ସାରର ମୂଲ୍ୟ ବୃଦ୍ଧି ହେଉଛି ଏହାର ଫଳାଫଳ।

ରୁଷିଆ ଏବଂ ବେଲାରୁଷ ପୋଟାସିୟମ କ୍ଲୋରାଇଡର ପ୍ରମୁଖ ରପ୍ତାନିକାରୀ। ଏହା ସାର ଉତ୍ପାଦନରେ ବ୍ୟବହୃତ ହୋଇଥାଏ। ଏହା ବ୍ୟତୀତ ରଷିଆ ମଧ୍ୟ ପ୍ରାକୃତିକ ଗ୍ୟାସ ଯୋଗାଣକାରୀ। ଯାହା ଦ୍ୱାରା ୟୁରୋପରେ ଅଧିକାଂଶ ସାର କାରଖାନା କାର୍ଯ୍ୟକ୍ଷମ ହୋଇଥାଏ। ପ୍ରାକୃତିକ ଗ୍ୟାସର ମୁଦ୍ରାସ୍ଫୀତି ସାର ଉତ୍ପାଦନ ଏବଂ ଏହାର ମୂଲ୍ୟ ଉପରେ ପ୍ରଭାବ ପକାଇଛି।
ଅଣ ଜୈବିକ ସାର ଉତ୍ପାଦନରେ ନାଇଟ୍ରୋଜେନ, ଫସଫୋରିକ ଏସିଡ ଏବଂ ପୋଟାସିୟମ କ୍ଲୋରାଇଡ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ। ରୁଷିଆ ଏବଂ ବେଲାରୁଷ ବିଶ୍ୱରେ ବ୍ୟବହୃତ ହେଉଥିବା ପୋଟାସିୟମ କ୍ଲୋରାଇଡର ୪୦ ପ୍ରତିଶତ ଯୋଗାଇଥାଏ। ବିଶ୍ୱ ବ୍ୟାଙ୍କ ଗତ ମାସରେ ଏକ ରିପୋର୍ଟରେ କହିଛି ଯେ ରୁଷିଆ ଏବଂ ବେଲାରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ଯୋଗୁଁ ସାରରେ ବ୍ୟବହୃତ କଞ୍ଚାମାଲର ମୂଲ୍ୟ ଚଳିତ ବର୍ଷ ୬୦ ରୁ ୭୦ପ୍ରତିଶତ ବୃଦ୍ଧି ପାଇଛି।

ୱେବସାଇଟ ନିକକେସିଆ ଏକ ରିପୋର୍ଟରେ କହିଛି ଯେ ବିଶ୍ୱ ବଜାରରେ ଯୋଗାଣ ହ୍ରାସ ହେବା ସହିତ ଧନୀ ଦେଶମାନେ ସାର ଏବଂ ସେଥିରେ ବ୍ୟବହୃତ କଞ୍ଚାମାଲ ସଂରକ୍ଷଣ କରିବା ଆରମ୍ଭ କରିଛନ୍ତି। ଗତ ସେପ୍ଟେମ୍ବରରେ ଆମେରିକା ଏହାର ଘରୋଇ ସାର ବଜାର ପାଇଁ ୫୦ କୋଟି ଡଲାରର ସବସିଡି ଘୋଷଣା କରିଥିଲା।

ଏହାପୂର୍ବରୁ ମାର୍ଚ୍ଚ ମାସରେ ଆମେରିକା ୨୫କୋଟି ଡଲାର ସବସିଡି ଘୋଷଣା କରିଥିଲା। ଆମେରିକାର ରାଷ୍ଠ୍ରପତି ଜୋ ବାଇଡେନ ପ୍ରଶାସନ କହିଛି ଯେ ଅଣ-ଜୈବିକ ସାର ଯୋଗାଣ ଦେଶ ମଧ୍ୟରେ ଜାରି ରହିବରା ପାଇଁ ଏହି ବିଶେଷ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ,ରୁଷିଆରୁ ଯୋଗାଣ ବନ୍ଦ କରିବା ପରେ ଜାପାନ ବର୍ତ୍ତମାନ ମୋରୋକୋ ଏବଂ କାନାଡାରୁ ସାରରେ ବ୍ୟବହୃତ କଞ୍ଚାମାଲ ଆମଦାନୀ ଆରମ୍ଭ କରିଛି।

 

Share