ଯକ୍ଷ୍ମା ଦୂର କରିବା ପାଇଁ ନୂତନ ଯୋଜନା ଉପରେ ବିଶ୍ୱସ୍ତରୀୟ ସହମତି: ୨୦୩୦ ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ପୃଥିବୀ…

ଜେନେଭା/ନୂଆଦିଲ୍ଲୀ,୨୭।୯: ୨୦୩୦ସୁଦ୍ଧା ପୃଥିବୀକୁ ଯକ୍ଷ୍ମା ମୁକ୍ତ କରିବାକୁ ଏକ ନୂତନ ଯୋଜନା ଉପରେ ବିଶ୍ୱସ୍ତରରେ ଦେଶମାନେ ସହମତ ହୋଇଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭାର ଉଚ୍ଚ ସ୍ତରୀୟ ବୈଠକରେ ପାରିତ ହୋଇଥିବା ରାଜନୈତିକ ଘୋଷଣାନାମାରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଏହି ରୋଗକୁ ଦୂର କରିବା ପାଇଁ ପ୍ରୟାସକୁ ତ୍ୱରାନ୍ବିତ କରିବା।

ଘୋଷଣାପତ୍ରରେ ୯୦ ପ୍ରତିଶତ ଲୋକଙ୍କଠାରେ ଯକ୍ଷ୍ମା ରୋକିବା ଏବଂ ଯତ୍ନ ସେବା ବୃଦ୍ଧି କରିବାକୁ ଏବଂ ଏହି ରୋଗରେ ପୀଡିତ ରୋଗୀଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ ଆର୍ଥିକ ତଥା ସାମାଜିକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦିଆଯାଇଛି। ଏହା ବ୍ୟତୀତ ଯକ୍ଷ୍ମା ପାଇଁ ଅତି କମରେ ଆଉ ଏକ ନୂତନ ଟିକା ଅନୁମୋଦନ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯକ୍ଷ୍ମା ରୋକିବା ପାଇଁ ଏପର୍ଯ୍ୟନ୍ତ କେବଳ ଗୋଟିଏ ଟିକା ଉପଲବ୍ଧ, ଯାହା ପ୍ରାୟ ୧୦୦ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିଲା।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, କରୋନା ପରେ ଯକ୍ଷ୍ମା ହେଉଛି ବିଶ୍ୱର ଦ୍ୱିତୀୟ ମାରାତ୍ମକ ସଂକ୍ରାମକ ରୋଗ। ଏହା ବିଶ୍ୱବ୍ୟାପୀ ମୃତ୍ୟୁର ୧୩ ତମ ପ୍ରମୁଖ କାରଣ ଅଟେ। ୨୦୨୧ ମସିହାରେ ପ୍ରାୟ ୧.୦୬ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ୧୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ମଲ୍ଟି ଡ୍ରଗ ପ୍ରତିରୋଧକ ଯକ୍ଷ୍ମା (ଏମଡିଆର) ଏକ ଗୁରୁତର ସ୍ବାସ୍ଥ୍ୟ ଚିନ୍ତା ପାଲଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏମଡିଆର-ଟିବିରେ ପୀଡିତ ତିନିଜଣ ରୋଗୀଙ୍କ ମଧ୍ୟରୁ କେବଳ ଜଣେ ୨୦୨୧ ରେ ଏହି ଚିକିତ୍ସା ଗ୍ରହଣ କରିଥିଲେ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୦୦ ରୁ ୨୦୨୧ ମଧ୍ୟରେ ଯକ୍ଷ୍ମା ରୋକିବା ପ୍ରୟାସରେ ୭୪ ନିୟୁତ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ଏହା ସତ୍ତ୍ୱେ ୨୦୩୦ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ହୋଇ ପାରୀ ନାହିଁ।

ଯକ୍ଷ୍ମା ରୋଗୀଙ୍କ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱର ଆନୁମାନିକ ରୋଗୀଙ୍କର ଏକ ଚତୁର୍ଥାଂଶରୁ ଅଧିକ ଭାରତରେ ଅଛନ୍ତି। ପ୍ରତିବର୍ଷ ଏଠାରେ ପ୍ରାୟ ୨୫ ରୁ ୩୦ଲକ୍ଷ ଯକ୍ଷ୍ମା ରୋଗ ପଞ୍ଜୀକୃତ ହୋଇଛି, ସେଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ମାମଲା ଏମଡିଆର ଅଟେ। ଭାରତରେ ଏହି ରୋଗ ହେତୁ ପ୍ରତିବର୍ଷ ପ୍ରାୟ ଚାରି ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ଏବଂ ଏହାର ମୁକାବିଲା ପାଇଁ ସରକାର ବାର୍ଷିକ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

Share