୧.୫ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ଜେନେଭା: ଆସନ୍ତା ୫ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇପାରେ। ୨୦୨୧ରୁ ୨୦୨୫ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ଅତି କମ୍‌ରେ ୧ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିପାରେ ବୋଲି ଓ୍ବାଲର୍‌ଡ ମେଟେରୋଲୋଜି ଅର୍ଗାନାଇଜେଶନ (ଡବ୍ଲ୍ୟୁଏମ୍‌ଓ)ର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ସମସ୍ତ ପ୍ରାନ୍ତ ଅପେକ୍ଷାକୃତ ଅଧିକ ଉଷ୍ମ ହେବାର ସମ୍ଭାବନା ରହିଥିବା ଡବ୍ଲ୍ୟୁଏମ୍‌ଓ ରିପୋର୍ଟରେ କୁହାଯାଇଛି। ଶିଳ୍ପାୟନ ପୂର୍ବବର୍ତ୍ତୀ ସମୟ ଅପେକ୍ଷା ବର୍ତ୍ତମାନ ବିଶ୍ୱ ତାପମାତ୍ରା ୧.୨ ଡିଗ୍ରୀ ସେଲ୍‌ସିୟସ୍‌ ଥିବାବେଳେ ଆଗାମୀ ବର୍ଷରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧିର ସମ୍ଭାବନା ୨୦ ପ୍ରତିଶତ ଥିବା ନେଇ ଗତ ବର୍ଷ ଡବ୍ଲ୍ୟୁଏମ୍‌ଓ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାସହ ଆଗାମୀ ଦିନରେ ଆଣ୍ଟଲାଟିକ୍‌ ମହାସାଗରରେ ସାମୁଦ୍ରିକ ଝଡ଼ର ମାତ୍ରା ବଢ଼ିବାର ଆଶଙ୍କା କରାଯାଇଛି। ଏଥିଯୋଗୁ ଆଫ୍ରିକାର ସାହେଲ ଓ ଅଷ୍ଟ୍ରେଲିଆ ପାଣିପାଗ ଆର୍ଦ୍ର ଏବଂ ଉତ୍ତର ଆମେରିକାର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଶୁଷ୍କ ରହିପାରେ। ତେବେ ବୃଦ୍ଧି ପାଇବାକୁ ଥିବା ତାପମାତ୍ରା ଦୀର୍ଘମିଆଦୀ ନୁହେଁ ବୋଲି କୁହାଯାଇଛି। ଜଳବାୟୁ ପରିବର୍ତ୍ତନର ସବୁଠାରୁ ବିପଦପୂର୍ଣ୍ଣ ପ୍ରଭାବକୁ ଏଡ଼ାଇବା ପାଇଁ ଏବେଠାରୁ ବ୍ୟାପକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚେତାଇଛନ୍ତି।

Share