୩ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ନାଇରୋବି, ୧୦ା୧୨: କରୋନା ଯୋଗୁ ବିଶ୍ୱବ୍ୟାପୀ ଲକଡାଉନ ପ୍ରଭାବରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ମାତ୍ରା ହ୍ରାସ ପାଇଥିଲେ ହେଁ ଏବେ ଏହାର ସ୍ତର ବଢ଼ୁଛି। ଚଳିତ ଶତାବ୍ଦୀରେ ସମଗ୍ର ବିଶ୍ୱର ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଇପାରେ ବୋଲି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ଏମିଶନ ଗ୍ୟାପ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ତେବେ ଲକଡାଉନରେ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ସ୍ତର କମିଥିବା ଯୋଗୁ ୨୦୩୦ ସୁଦ୍ଧା ଆକଳନ କରାଯାଇଥିବା ଏହି ଗ୍ୟାସର ମାତ୍ରା ୨୫ ପ୍ରତିଶତ ହ୍ରାସ ଘଟିପାରେ ବୋଲି ଅନୁମାନ କରାଯାଇଛି।
ପ୍ରକାଶ ପାଇଥିବା ୟୁଏନ୍‌ଇପିର ଆନୁଆଲ ଏମିଶନ ଗ୍ୟାପ ରିପୋର୍ଟ ଅନୁସାରେ, ଚଳିତ ଶତାବ୍ଦୀରେ ବିଶ୍ୱ ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ଆଡକୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର କୋଭିଡ୍‌ ମୁକାବିଲା ଭଳି ତ୍ୱରିତ ପଦକ୍ଷେପ ନେବା ଜରୁରୀ। ଆସନ୍ତା ନଭେମ୍ବର ୨୦୨୧ରେ ଗ୍ଲାସ୍‌ଗୋଠାରେ ହେବାକୁ ଥିବା ଜଳବାୟୁ ସମ୍ପର୍କିତ ବୈଠକରେ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ ସହ ଏହାକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ନିଆଁ, ମରୁଡ଼ି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବାରୁ ୨୦୨୦ରେ ତାପମାତ୍ରା ବ୍ୟାପକ ମାତ୍ରାରେ ବଢିଥିବା ୟୁଏନ୍‌ଇପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଙ୍ଗର ଆଣ୍ଡ୍ରେସନ କହିଛନ୍ତି। ୨୦୧୯ରେ ଗ୍ରୀନହାଉସ୍‌ ପ୍ରଭାବ ଯୋଗୁ କାର୍ବନ ଡାଇଅକ୍ସସାଇଡ୍‌ର ମାତ୍ରା ବଢି ରେକର୍ଡ ମାତ୍ରାରେ ୫୯.୧ ଗିଗାଟନ୍‌ରେ ପହଞ୍ଚିଛି। ପ୍ରଦୂଷଣ ତଥା ତାପମାତ୍ରା ବୃଦ୍ଧି ପାଇଁ ଦାୟୀ କାର୍ବନ ଗ୍ୟାସ ନିର୍ଗତ ତଥା ଗ୍ରୀନ ହାଉସ୍‌ ଇଫେକ୍ଟ କମ୍‌ କରିବାରେ ଜି-୨୦ ଦେଶଗୁଡିକ ମଧ୍ୟରୁ ମାତ୍ର ଏକ ଚତୁର୍ଥାଂଶ ଦେଶ ଗୁରୁତ୍ୱ ଦେଇଛନ୍ତି, ଯାହାକି ପରିବେଶ ତଥା ଜଳବାୟୁ ପାଇଁ ଆଦୌ ଅନୁକୂଳ ନୁହେଁ। ତେଣୁ ଆଗକୁ ବଡ ବିପର୍ଯ୍ୟୟକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଇନ୍ଧନର ବ୍ୟବହାରକୁ ଯଥାସମ୍ଭବ କମ୍‌ କରିବା, ଅଧିକ ସଂଖ୍ୟକ କୋଇଲା ପ୍ଲାଣ୍ଟ ନିର୍ମାଣ ନ କରିବା, ପ୍ରକୃତିକୁ ସୁହାଇବା ଭଳି ବିଭିନ୍ନ ଟେକ୍ନୋଲୋଜି ବ୍ୟବହାର କରି ସମସ୍ୟା ସମାଧାନ କରିବା ସହ ଜଙ୍ଗଲ ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିବା ନିହାତି ଜରୁରୀ ହୋଇପଡିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share