Advertisement

ନିଖୋଜ ଜ୍ୟାକ୍‌ ମାଙ୍କର ଭିଡ଼ିଓ ଜାରି କଲା ଗ୍ଲୋବାଲ ଟାଇମ୍ସ୍‌

ବେଜିଂ, ୨୦।୧: ଚାଇନାର ଶ୍ରେଷ୍ଠ ଧନୀକ ତଥା ଆଲିବାବା ଗ୍ରୁପ୍‌ର ସଂସ୍ଥାପକ ଜ୍ୟାକ୍‌ ମା ୟୁନ୍‌ ନିଖୋଜ ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ୫୦ ସେକେଣ୍ଡ ଏହି ଭିଡ଼ିଓକୁ ଚାଇନାର ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ୍‌ ଟାଇମ୍ସ୍‌ ପକ୍ଷରୁ ବୁଧବାର ଟୁଇଟରରେ ଅପଲୋଡ୍‌ କରାଯାଇଛି। ଜ୍ୟାକ୍‌ ଭିଡ଼ିଓ କନଫରେନ୍ସିଂରେ ଦେଶର ଗ୍ରାମାଞ୍ଚଳରେ ବାସ କରୁଥିବା ୧୦୦ଜଣ ଶିକ୍ଷକଙ୍କ ସହିତ ଆଲୋଚନା କରୁଥିବାର ଏଥିରେ ଦେଖିବାକୁ ମିଳୁଛି। କରୋନା ମହାମାରୀ ପରେ ପୁଣି ସାକ୍ଷାତ୍‌ ହେବ ବୋଲି ଜ୍ୟାକ୍‌ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଭିଡ଼ିଓରେ କହୁଛନ୍ତି। ପ୍ରାୟ ୨ ମାସ ଧରି ଜ୍ୟାକ୍‌ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଉ ନ ଥିଲେ। ଏହାକୁ ନେଇ ଚାଇନା ସରକାରଙ୍କ ଉପରେ ଲୋକେ ସନ୍ଦେହ କରିଥିଲେ। ଜାଣିଶୁଣି ଚାଇନା ସରକାର ଜ୍ୟାକ୍‌ଙ୍କୁ ନିଖୋଜ କରାଇଥିବା ଅଭିଯୋଗ ହୋଇଥିଲା। ଜ୍ୟାକ୍‌ଙ୍କ ଏହି ଭିଡ଼ିଓ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଜ୍ୟାକ୍‌ ଜଣେ ଇଂଲିଶ୍‌ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଉଦ୍ୟୋଗୀ ପାଲଟି ଥିଲେ।

Share